Latest Odisha News

ଆଗତ ହେଲା ନୂଆ ଆୟକର ବିଲ୍: କରଦାତାଙ୍କ ଲାଭ ନା କ୍ଷତି?

ନୂଆଦିଲ୍ଲୀ: ଏବେ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆୟକର ବା ଇନକମ୍ ଟ୍ୟାକ୍ସ ବିଲ୍ ଲୋକସଭାରେ ଆଗତ କରାଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନୂଆ ଆୟକର ବିଲକୁ ଉପସ୍ଥାପନ କରିଛନ୍ତି । ଯାହାକି ପୁରୁଣା ଆୟକର ଆଇନ  ୧୯୬୧କୁ ବଦଳାଇ ଅତି ସରଳ ଏବଂ ସ୍ବଚ୍ଛ ଭାବେ ଅଣାଯାଇଛି ।

ତେବେ ୬୩ ବର୍ଷ ପରେ ଆସିଥିବା ଏହି ନୂଆ ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଆୟକର ଆଇନ ୨୦୨୫କୁ ପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଏବଂ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛି । ଏଥିରେ ଡିଜିଟାଇଜେସନ୍  ଠାରୁ ଆରମ୍ଭ କରି ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଏବଂ ଟିକସ ଫାଙ୍କି ନେଇ ନିୟମକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ନୂଆ ଆୟକର ବିଲରେ ୬୨୨ ପୃଷ୍ଠା ମଧ୍ୟରେ ୫୩୬ଟି ଧାରା, ୨୩ଟି ଅଧ୍ୟାୟ ଏବଂ ୧୬ଟି ସୂଚୀ ରହିବ ।

ନୂତନ ବିଲ୍‌ରେ ସାରଣୀ ଏବଂ ସୂତ୍ର ମଧ୍ୟ ରହିଛି, ଯାହା ଦ୍ୱାରା ଲମ୍ବା ଲମ୍ବା ବ୍ୟାଖ୍ୟା ଏବଂ ଆଇନଗତ ଟିପ୍ପଣୀକୁ ବଦଳାଇ ଦିଆଯାଇଛି । ଏହା ସହିତ, ଏଥିରେ ଏକ ନୂତନ ବିଭାଗ ରହିଛି ଯାହା କରଦାତାଙ୍କ ଅଧିକାର ଏବଂ କର୍ତ୍ତବ୍ୟକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବ । ଏହା ସହିତ, ନୂତନ ବିଲରେ ଅତ୍ୟନ୍ତ ସରଳ ଏବଂ ସ୍ପଷ୍ଟ ଶବ୍ଦ ବ୍ୟବହାର କରାଯାଇଛି ଏବଂ ଜଟିଳ ଆଇନଗତ ଶବ୍ଦଗୁଡ଼ିକୁ ହଟାଇଦିଆଯାଇଛି । ଏଥିରେ ‘କର ବର୍ଷ ବା ଟ୍ୟାକ୍ସ ଇଏର’ ଶବ୍ଦଟି ପ୍ରଚଳନ କରାଯାଇଛି, ଯାହା ‘ମୂଲ୍ୟାୟନ ବର୍ଷ ବା ଆସେସମେଣ୍ଟ ଇଏର’ ଶବ୍ଦ ସ୍ଥାନରେ ବ୍ୟବହାର କରାଯାଇଛି । ଯାହାକୁ ନେଇ ଅନେକ ସମୟରେ କରଦାତା ଦ୍ବନ୍ଦ୍ବରେ ରହୁଥିଲେ ।

ବର୍ତ୍ତମାନର ବିଲ୍ ୧୯୬୧ ମସିହାରେ ପ୍ରଣୟନ କରାଯାଇଥିଲା ଏବଂ ୧୯୬୨ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ୨୯୮ଟି ଧାରା ଥିଲା ଏବଂ ବର୍ଷ ବର୍ଷ ଧରି ଏଥିରେ ଅନେକ ସଂଶୋଧନ କରାଯାଇଥିଲା ।  ଯାହା କରଦାତାଙ୍କ ଦ୍ୱାରା ବୁଝିବା କଷ୍ଟକର କରିଦେଇଥିଲା ।

ତେବେ କୁହାଯାଉଛି, ଏହି ନୂଆ ଆୟକର ବିଲ୍ ସାଧାରଣ ଆୟକର ଦାତାଙ୍କ ପାଇଁ ସହଜ ଏବଂ ସୁବିଧାଦାୟକ ହେବ ।

Comments are closed.