Latest Odisha News

BREAKING NEWS

ଭୁବନେଶ୍ୱରରେ ନୂଆ ଏନସିବି କୋଠା ଉଦଘାଟିତ, ଦିନକରେ ନଷ୍ଟ ହେଲା ୨୩୮୧ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନସିବି) ଏବଂ ସବୁ ରାଜ୍ୟର ନିଶା ଦ୍ରବ୍ୟ କାରବାର ନିରୋଧୀ ଟାସ୍କଫୋର୍ସ (ଏଏନଟିଏଫ)ର ସମନ୍ୱୟ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତରେ ୨୩୮୧ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୪୦ ହଜାର କିଲୋଗ୍ରାମରୁ ଅଧିକ ମାଦକଦ୍ରବ୍ୟ ନଷ୍ଟ କରାଯାଇଥିଲା। ଏହା ଗୋଟିଏ ଦିନରେ ସର୍ବାଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯିବା କ୍ଷେତ୍ରରେ ଏକ ରେକର୍ଡ ।

BjdElectrycity

ଅମିତ ଶାହା କହିଥିଲେ ଯେ ଆଜି ଏନସିବି ଅମୃତସର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଭବନ ନିର୍ମାଣ, ଭୁବନେଶ୍ୱର ଏନସିବି କାର୍ଯ୍ୟାଳୟ ଉଦଘାଟନ ଏବଂ ନୂଆଦିଲ୍ଲୀରେ ଏକ ନୂଆ କାର୍ଯ୍ୟାଳୟ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଛି । ଏନସିବି କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦେଇଥିବାରୁ ତଥା ଏନସିବି ଓ ଭାରତ ସରକାରଙ୍କ ସହଯୋଗ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଓଡ଼ିଶା ସରକାର ଏବଂ ପଞ୍ଜାବ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ଶାହା କହିଥିଲେ, ଏନସିବିର ଏହି କାର୍ଯ୍ୟାଳୟ ମାଧ୍ୟମରେ ଏହି ଦୁଇ ରାଜ୍ୟରେ ନିଶା ବିରୋଧରେ ଲଢ଼େଇ ଅଧିକ ମଜବୁତ ହେବ । ସେ କହିଥିଲେ ଯେ ଆଜି ନିଶାମୁକ୍ତ ଭାରତ ଉପରେ ଏକ ସୂଚନା ପୁସ୍ତିକା ଉନ୍ମୋଚନ କରାଯାଇଛି । ମାଦକ ଦ୍ରବ୍ୟ ବିରୋଧରେ ଏହି ସଂଘର୍ଷରେ ଆମେ ଯେତେ ଅଧିକ ସୂଚନା ଜିଲ୍ଲା ପ୍ରଶାସନ, ଏନଜିଓ ଏବଂ ବିଦ୍ୟାଳୟରେ ପହଞ୍ଚାଇବା ଏହି ଲଢ଼େଇ ସେତେ ଅଧିକ ମଜବୁତ ହେବ । ଶ୍ରୀ ଶାହା କହିଥିଲେ ଯେ ନିଶାଦ୍ରବ୍ୟ କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବା କିମ୍ବା ଏହା ବିରୋଧରେ ବିଜୟ ହାସଲ କରିବା ଲାଗି କେବଳ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ସଚେତନତା ମଧ୍ୟ ଜରୁରି । ଯେପର୍ଯ୍ୟନ୍ତ ଦେଶର ଯୁବବର୍ଗ ଏବଂ ସେମାନଙ୍କ ଅଭିଭାବକଙ୍କ ମନରେ ନିଶା ପ୍ରତି ସଚେତନତା ସୃଷ୍ଟି କରିପାରିବା ନାହିଁ ଏହି ବିଜୟ ହାସଲ କରିବା ଅସମ୍ଭବ ବୋଲି ସେ କହିଥିଲେ ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଥିଲେ ଯେ ଆଜି ମୋଟ୍‌ ୧ ଲକ୍ଷ ୪୦ ହଜାର ୨୮୮ କିଲୋଗ୍ରାମରୁ ଅଧିକ ମାଦକ ଦ୍ରବ୍ୟ ନଷ୍ଟ କରାଯାଇଛି । ଏଥିପାଇଁ ସବୁ ରାଜ୍ୟ, ବିଶେଷ କରି ଏନସିବିର ପ୍ରୟାସ ପ୍ରଶଂସନୀୟ। ସେ କହିଥିଲେ ଯେ ଏହି ଅଭିଯାନ ଅଧୀନରେ ୨,୩୭୮ କୋଟି ଟଙ୍କାର ମାଦକ ଦ୍ରବ୍ୟ ନଷ୍ଟ କାଯାଇଛି, ଏହା ଗୋଟିଏ ଦିନରେ ନଷ୍ଟ ହୋଇଥିବା ମାଦକଦ୍ରବ୍ୟ ପରିମାଣ ଦୃଷ୍ଟିରୁ ଏକ ରେକର୍ଡ । ଶ୍ରୀ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ଏକ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୧୦ ଲକ୍ଷ କିଲୋଗ୍ରାମ ମାଦକ ଦ୍ରବ୍ୟ ନଷ୍ଟ କରାଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୨ ହଜାର କୋଟି ଟଙ୍କା ହେବ ଏବଂ ଏହା ମଧ୍ୟ ଏକ ରେକର୍ଡ ।

ସମ୍ମିଳନୀରେ ପଞ୍ଜାବ ରାଜ୍ୟପାଳ, ପଞ୍ଜାବ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକ, ଜାମ୍ମୁ ଓ କାଶ୍ମୀର, ଲଦାଖ ଓ ଦିଲ୍ଲୀର ଉପରାଜ୍ୟପାଳ ଉପସ୍ଥିତ ଥିଲେ । ଓଡ଼ିଶାର ଗୃହ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ଗୃହ ସଚିବ ଏନସିବିର ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି ତଥା ଭାରତ ସରକାରଙ୍କ ଅଂଶୀଦାର ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଭାଗ ନେଇଥିଲେ ।

Leave A Reply

Your email address will not be published.