Latest Odisha News

BREAKING NEWS

ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍ ଶ୍ରୀଯୁକ୍ତ’ର ଶୁଭ ମହୁରତ

ଭୁବନେଶ୍ୱର: ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ୱିତୀୟ ଅବଦାନ ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ମହୁରତ କାର୍ଯ୍ୟକ୍ରମରେ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଞ୍ଜୟ କୁମାର ପଟେଲ ଏବଂ ଶିବିର କୁମାର ପରିଡା ଉପସ୍ଥିତ ରହି କ୍ଲାପ୍ ଦେଇଥିଲେ । ଫିଲ୍ମର ପ୍ରଯୋଜକ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର, ଅଭିନେତ୍ରୀ ଲିପ୍ସା ମହାରଣା ଉପସ୍ଥିତ ଥିଲେ ।

ପୂର୍ବରୁ ଶିରିଡି ସାଇବାବା ମୁଭିଜ୍‌ର ପ୍ରଥମ ଅବଦାନ ଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୂର । ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଲରେନ୍ସ ଓ ଲିଟିଲ ଭଳି ଦମଦାର ଷ୍ଟାର କାଷ୍ଟିଂ କୁ ନେଇ ନିର୍ମାଣ ହୋଇଥିଲା ସିନ୍ଦୂର । ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ପାରିବାରିକ ଓ ହାସ୍ୟରସ ଆଧାରିତ କାହାଣୀ । ତେବେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା । ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ୍ ଆନନ୍ଦ । ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ । ଚିତ୍ରତ୍ତୋଳନ ଦାୟିତ୍ୱରେ ବାପି ଅଛନ୍ତି ।

ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ସାନୁ ଓ ଅଭିନେତ୍ରୀ ସସ୍ମିତା । ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସହିତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ଜୟପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଲିପ୍ସା ମହାରଣା, ଛନ୍ଦିତା, ରାଜୀବ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି । ସମାଜରେ ପ୍ରତ୍ୟେକ ଦିନ ଘଟୁଥିବା କଥାକୁ କାହାଣୀର ରୂପ ଦେଇ କମେଡି ଧାରାରେ ଫିଲ୍ମ ନିର୍ମାଣ କଲେ ବେଶ ଲୋକାଦୃତ ହେବ ବୋଲି ପ୍ରଯୋଜକ ପ୍ରଣୟ ଜେଠୀ ଆଶା ରଖିଛନ୍ତି ।

Comments are closed.