Latest Odisha News

ସରକାର ଗଢୁ ଗଢୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି, କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ଵର: ସରକାର ଗଢୁ ଗଢୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି । ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ବାଜିଲା ମୋହର । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଲି ସକାଳେ ଖୋଲିବ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର । ଏଥିସହ ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ । ସେହିପରି ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି ଯୋଜନା । ଧାନ ଏମ୍‌ଏସ୍‌ପି ୩୧ ଶହ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନା ଅନୁସାରେ, ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ । ଆଜି ମନ୍ତ୍ରିପରିଷଦର ସମସ୍ତ ସଦସ୍ୟ ପୁରୀ ଯିବେ । ଆଜି ସମସ୍ତ ସଦସ୍ୟ ପୁରୀରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ମନ୍ତ୍ରିପରିଷଦଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ’ । ସେହିପରି ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନାଯୋଗ୍ୟ ଯେ, ଆଜି ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ କରିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଶପଥ ଉତ୍ସବକୁ ଆସିଥିବା ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କ ସାନୁଧ୍ୟ ଲାଭ କରିଛନ୍ତି । ଏହାପରେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ ବୈଠକ ପରେ ଏପରି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିରଖୁଛୁ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ଚାରଦ୍ୱାର ଖୋଲିବା, ଧାନ ଏମ୍‌ଏସ୍‌ପି ୩୧ ଶହ ଟଙ୍କା ଓ ସୁଭଦ୍ରା ଯୋଜନା ଲାଗୁ କରିବା ନେଇ ମାନିଫେଷ୍ଟୋରେ ଘୋଷଣା କରିଥିଲା ବିଜେପି ।

Leave A Reply

Your email address will not be published.