ଭୁବନେଶ୍ୱର: ସାଧାରଣତଃ ରୋଗରେ ପଡ଼ିଲେ ଡାକ୍ତରଖାନା ଖର୍ଚ୍ଚ ଅପେକ୍ଷା ଔଷଧ ବିଲ୍ ଦେଖି ରୋଗୀଙ୍କ ଅଧା ଜୀବନ ଚାଲିଯାଏ। ଦୋକାନକୁ ଦୋକାନ ମେଡିସିନ୍ ଦରରେ ଥିବା ତାରତମ୍ୟ ଗରିବ ଖଟିଖିଆଙ୍କ ପକେଟ୍ କାଟିଥାଏ। କିନ୍ତୁ ଏଣିକି ଆଉ ଚଳିବନି ଫାର୍ମାସି ମାଲିକଙ୍କ ମନମାନି। ରାଜ୍ୟର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଫଳରେ ସାରା ଓଡ଼ିଶାରେ ‘ଗୋଟିଏ ଔଷଧ ପାଇଁ ଗୋଟିଏ ଦର’ ନିୟମ ଲାଗୁ ହେବାକୁ ଯାଉଛି।
ଆପଣ ରାଜ୍ୟର କୌଣସି ବି ମେଡିସିନ ଷ୍ଟୋରକୁ ଯାଆନ୍ତୁ ନା କାହିଁକି, ସବୁଠି ପ୍ରଥମେ ଆପଣଙ୍କୁ ଏକ ମୂଲ୍ୟ ତାଲିକା ବା ‘ରେଟ୍ ଚାର୍ଟ’ ଦେଖିବାକୁ ମିଳିବ। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଔଷଧ ଦୋକାନ ସାମ୍ନାରେ ବାଧ୍ୟତାମୂଳକ ଭାବେ ଏହି ତାଲିକା ଲଗାଯିବ। କେନ୍ଦ୍ର ରସାୟନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାରେ ନିର୍ଦ୍ଦିଷ୍ଟ ଔଷଧଗୁଡ଼ିକର ସଠିକ୍ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ଗ୍ରାହକମାନେ ଔଷଧ କିଣିବା ପୂର୍ବରୁ ସିଧାସଳଖ ଦାମ୍ ଦେଖିପାରିବେ, ଯାହା ଫଳରେ କଳାବଜାରୀ ଉପରେ ଅଙ୍କୁଶ ଲାଗିବ।
ବିଶେଷ କରି ଦୀର୍ଘମିଆଦି ରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ବର୍ତ୍ତମାନ ୩୯ ପ୍ରକାରର ଅତ୍ୟାବଶ୍ୟକ ତଥା ଜୀବନରକ୍ଷକ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ସ୍ଥିର କରାଯାଇଛି ଏବଂ ଓଡ଼ିଶା ସରକାର ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟତଃ ଏହି ତିନୋଟି ବର୍ଗର ଔଷଧ ତାଲିକାଭୁକ୍ତ ହୋଇଛି; ରକ୍ତଚାପ, ମଧୁମେହ, ହୃଦ୍ରୋଗ। ନୂଆ ନିୟମ ଲାଗୁ ହେବା ପରେ ଗୋଟିଏ ନିର୍ଦ୍ଦିଷ୍ଟ ଔଷଧର ଦାମ୍ ରାଜଧାନୀ ଭୁବନେଶ୍ୱରରେ ଯାହା ରହିବ, ସୁଦୂର ମାଲକାନଗିରି କିମ୍ବା ମୟୂରଭଞ୍ଜର ଉପାନ୍ତ ଗାଁରେ ମଧ୍ୟ ଦର ସମାନ ରହିବ।
Comments are closed.