ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ IPL)କୁ ନେଇ ବିସିସିଆଇ ନୂତନ ନିୟମ ଜାରି କରିଛି। ଏହି ନିୟମଗୁଡିକ ଦଳର ଅଭ୍ୟାସ ଅଧିବେଶନ ସହିତ ଜଡିତ । ଏହି ନୂତନ ନିୟମର ଉଦ୍ଦେଶ୍ୟ ହେଲା ପିଚ୍ ର ଗୁଣବତ୍ତା ବଜାୟ ରଖିବା ଏବଂ ସମସ୍ତ ଦଳକୁ ପର୍ଯ୍ୟାପ୍ତ ଅଭ୍ୟାସ ସୁଯୋଗ ପ୍ରଦାନ କରିବା ।
IPL ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ।
ତେବେ ଏହି ଆଇପିଏଲ୍ ମ୍ୟାଚ ଆରମ୍ଭ ପୂର୍ବରୁ ବିସିସିଆଇ ଟିମ୍ ପାଇଁ ନୂଆ ନିୟମ ଆଣିଛି । ଚଳିତ ସିଜନ ଆରମ୍ଭ ପୂର୍ବରୁ ଦଳଗୁଡିକ ଷ୍ଟାଡିୟମରେ କେବଳ ସାତ ଥର ଅଭ୍ୟାସ କରି ପାରିବେ । ପ୍ରତ୍ୟେକ ଦଳର ଅଭ୍ୟାସ ସମୟର ଅବଧି ତିନି ଘଣ୍ଟାରୁ ଅଧିକ ହେବ ନାହିଁ । ଏହା ବ୍ୟତୀତ ଦଳମାନଙ୍କୁ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯିବ। ଚଳିତ ସିଜିନ ଆରମ୍ଭ ହେବା ପରେ ଓପନ୍ ନେଟ୍ ଅଭ୍ୟାସ ଅନୁମତି ଦିଆଯିବ ନାହିଁ । ମ୍ୟାଚ୍ ଦିନ ଖେଳାଳିମାନେ ଅଭ୍ୟାସ କରି ପାରିବେ ନାହିଁ ।
ଫ୍ରାଞ୍ଚାଇଜମାନଙ୍କୁ ତିନି ଘଣ୍ଟାର ସାତୋଟି ଅଭ୍ୟାସ ଅଧିବେଶନ କରିବାକୁ ଅନୁମତି ଦିଆଯିବ । ସେଥିମଧ୍ୟରୁ ଦୁଇଥର ଅଭ୍ୟାସ ମ୍ୟାଚ୍ କିମ୍ବା ଓପନ ନେଟ୍ସ କରି ପାରିବେ । ଅଭ୍ୟାସ ମ୍ୟାଚ୍ ମୁଖ୍ୟ ପିଚ୍ ର କଡରେ ଥିବା ପିଚ୍ ରେ ଖେଳିପାରିବେ । ଯଦି କୌଣସି ଦଳ ଫ୍ଲଡ୍ ଲାଇଟ୍ ରେ ଅଭ୍ୟାସ ମ୍ୟାଚ ଖେଳିବାକୁ ଚାହେଁ ତେବେ ଖେଳର ଅବଧି ସାଢେ ତିନି ଘଣ୍ଟାରୁ ଅଧିକ ହେବ ନାହିଁ ।
ଯଦିଓ ଚଳିତ ଆଇପିଏଲ ସିଜନ ଆରମ୍ଭ ପରେ ଓପନ ନେଟ୍ସର ଅନୁମତି ଦିଆଯିବ ନାହିଁ,କିନ୍ତୁ ବିସିସିଆଇ ପ୍ରତ୍ୟେକ ଦଳକୁ ଗୋଟିଏ ୱିକେଟ୍ ପ୍ରଦାନ କରିବ, ଯାହାର ଉପଯୋଗ ରେଞ୍ଜ୍ ହିଟିଙ୍ଗ, ରନ୍ ଅପ୍ସ, ଥ୍ରୋଡାଉନ୍ ଏବଂ ଅନ୍ୟାନ୍ୟ ଅଭ୍ୟାସ ଆବଶ୍ୟକତା ପାଇଁ ବ୍ୟବହୃତ ହୋଇପାରିବ ।
ଯଦି ଉଭୟ ଦଳ ଏକ ସମୟରେ ପଡ଼ିଆରେ ଅଭ୍ୟାସ କରିବାକୁ ଚାହାଁନ୍ତି, ତେବେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦଳର ମ୍ୟାନେଜରଙ୍କ ସହ କଥାବାର୍ତ୍ତା ହେବା ପରେ ବିସିସିଆଇ ନିଷ୍ପତ୍ତି ନେବ ।
ସୂଚନାଥାଉକି, ବିସିସିଆଇ ଆଇପିଏଲ୍ ମ୍ୟାଚ୍ ସମୟରେ ବ୍ୟବହୃତ ପିଚ୍କୁ ସୁରକ୍ଷିତ ଏବଂ ମୂଳ ଅବସ୍ଥାରେ ରଖିବାକୁ ଚାହୁଁଛି । କାରଣ କ୍ରମାଗତ ଘରୋଇ କ୍ରିକେଟ୍ କାରଣରୁ ଏହା ଅଧିକ ବ୍ୟବହୃତ ହୋଇସାରିଛି । ବିସିସିଆଇ ଆହୁରି ମଧ୍ୟ କହିଛି ପିଚ୍ କୁ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବି ବ୍ୟବହାର କରାଯିବ ନାହିଁ।
Comments are closed.