ମୁମ୍ବାଇ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଚଳିତ ବର୍ଷ ପ୍ରାରମ୍ଭରେ ମ୍ୟୁଚୁଆଲ୍ ଫଣ୍ଡ (MF) ଫୋଲିଓ ଏବଂ ଡେମାଟ୍ ଆକାଉଣ୍ଟ ପାଇଁ ନାମାଙ୍କନ ପ୍ରକ୍ରିୟା ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଥିଲା । ଏବେ ନାମାଙ୍କନ ସମ୍ବନ୍ଧୀୟ ନିୟମର ହେବ ପରିବର୍ତ୍ତନ । ଏହା ମାର୍ଚ୍ଚ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ବାରା ଅନାବଶ୍ୟକ ସମ୍ପତ୍ତି ହ୍ରାସ ହେବ ଏବଂ ନିବେଶକଙ୍କ ସମ୍ପତ୍ତିର ଉତ୍ତମ ପରିଚାଳନା ହେବ । କିଛି ବର୍ଷ ହେବ ଚିନ୍ତାର ବିଷୟ ପାଲଟିଛି ଯେ, ଅନେକ ନିବେଶକଙ୍କ ଦେହାନ୍ତ ପରେ ସେମାନଙ୍କ ପରିବାର ନିବେଶ ଦାବି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ମାର୍ଚ୍ଚ ୧ତାରିଖରୁ ଲାଗୁ ହେବାକୁ ଥିବା ନିୟମ ଅନୁଯାୟୀ, ବର୍ତ୍ତମାନ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଡେମେଟ୍ ଆକାଉଣ୍ଟରେ ନିବେଶକମାନଙ୍କ ପାଇଁ ନାମାଙ୍କନପତ୍ର ଘୋଷଣା କରିବା ବାଧ୍ୟତାମୂଳକ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ, ନିବେଶକ ନିଜେ ନୋମିନିର ନାଁ ଚୟନ କରିବାକୁ ପଡିବ । ଏହି ଅଧିକାର ପାୱାର ଅଫ୍ ଆଟର୍ଣ୍ଣି (POA) ଧାରକ ଦ୍ୱାରା କରାଯାଇପାରିବ ନାହିଁ ।
ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ନିବେଶକମାନଙ୍କୁ ବର୍ତ୍ତମାନ ସେମାନଙ୍କର ଡେମାଟ୍ ଆକାଉଣ୍ଟ କିମ୍ବା ମ୍ୟୁଚୁଆଲ୍ ଫଣ୍ଡ ଫୋଲିଓରେ ୧0 ଜଣ ବ୍ୟକ୍ତିଙ୍କୁ ନୋମିନି କରିବାକୁ ଅନୁମତି ଦିଆଯାଇଛି ।
ଏହି ନୋମିନିଙ୍କୁ ଜଏଣ୍ଟ ହୋଲ୍ଡର୍ସ ଭାବେ ଦେଖାଯାଇ ପାରିବ କିମ୍ବା ଅଲଗା ଅଲଗା ସିଙ୍ଗଲ ଆକାଉଣ୍ଟ କିମ୍ବା ଫୋଲିଓ ପାଇଁ ଅଲଗା ଅଲଗା ନୋମିନି ଚୟନ କରାଯାଇପାରିବ । ଏହା ନିବେଶକମାନଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବ ଓ ଏଥିସହ ସ୍ୱଚ୍ଛତା ମଧ୍ୟ ବୃଦ୍ଧି ହେବ ।
ନିବେଶକମାନେ ଉଭୟ ଅନଲାଇନ୍ ଏବଂ ଅଫ୍ ଲାଇନ୍ ଅପଡେଟ୍ କରିବାକୁ ସମର୍ଥ ହେବେ । ନୂତନ ନିୟମ ଅନୁଯାୟୀ, ନିବେଶକମାନଙ୍କୁ ବର୍ତ୍ତମାନ ସେମାନଙ୍କ ନାମାଙ୍କନ ବିଷୟରେ ଅଧିକ ବିବରଣୀ ପ୍ରଦାନ କରିବାକୁ ପଡିବ, ଯେଉଁଥିରେ ପାନ୍ କାର୍ଡ ନମ୍ବର, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆଧାରର ଶେଷ ଚାରି ଅଙ୍କ ରହିବ । ଏହା ବ୍ୟତୀତ ନିବେଶକଙ୍କୁ ନାମାଙ୍କନର ଯୋଗାଯୋଗ ବିବରଣୀ ଏବଂ ତାଙ୍କ ସହିତ ସେମାନଙ୍କର ସମ୍ପର୍କ ବିଷୟରେ କହିବାକୁ ପଡ଼ିବ । ଯଦି ନୋମିନି ବ୍ୟକ୍ତି ନାବାଳକ, ତେବେ ଏପରି ପରିସ୍ଥିତିରେ ନିବେଶକଙ୍କୁ ମଧ୍ୟ ତାଙ୍କର ଜନ୍ମ ତାରିଖ ପ୍ରଦାନ କରିବାକୁ ପଡିବ ।
Comments are closed.