Latest Odisha News

BREAKING NEWS

ନଭେମ୍ବର ୧୫ରୁ ଟୋଲ୍ ପ୍ଲାଜାରେ ବଢିବ ଶୁଳ୍କ, ଜାଣନ୍ତୁ କେତେ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ମାନଙ୍କରେ ନଗଦ କାରବାର ହ୍ରାସ କରିବା ପାଇଁ ସରକାର ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଯୋଜନା ଚଲାଇଥିବା ନେଇ ରିପୋର୍ଟ ମିଳିଛି। ଏହି ନୂଆ ନିୟମ ନଭେମ୍ବର ୧୫ରୁ କାର୍ଯ୍ୟକାରୀ ହେବ।

ନୂଆ ନିୟମ ଅନୁଯାୟୀ, ବୈଧ FASTag ନଥିବା ଯାନଗୁଡ଼ିକୁ ଭିନ୍ନ ଭାବରେ ଟୋଲ୍ ଶୁଳ୍କ ଦେବାକୁ ପଡିବ ଅର୍ଥାତ୍ ଯଦି ଜଣେ ବ୍ୟବହାରକାରୀ ନଗଦ କାରବାର କରିବେ ତାହେଲେ ତାଙ୍କୁ ସାଧାରଣ ଟୋଲ୍ ଶୁଳ୍କର ଦୁଇଗୁଣ ଦେବାକୁ ପଡିବ। କିନ୍ତୁ ଯଦି  ବ୍ୟବହାରକାରୀ UPI କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି ଦେୟ ଦିଅନ୍ତି, ତେବେ ତାଙ୍କୁ ସାଧାରଣ ଶୁଳ୍କର କେବଳ ୧.୨୫ ଗୁଣ ଦେବାକୁ ପଡିବ।

ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବା, ସ୍ୱଚ୍ଛତା ବୃଦ୍ଧି କରିବା ସହ ଟୋଲ୍ ପ୍ଲାଜାରେ ଦକ୍ଷତାକୁ ଉନ୍ନତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି। ଏଥିସହିତ ଏହା ଟୋଲ ମାନଙ୍କରେ ଭିଡ଼ ହ୍ରାସ କରିବା ସହ ଯାତ୍ରୀଙ୍କ ସମୟ ବଞ୍ଚାଇବା ନେଇ ଆଶା କରାଯାଉଛି।

ଯଦି  FASTag ବ୍ୟବହାର କରୁଥିବା ଗାଡ଼ି ପାଇଁ ଟୋଲ୍ ଫି ୧୦୦ ଟଙ୍କା ଥାଏ ତେବେ  ନୂତନ ନିୟମ ଅନୁଯାୟୀ, ଯଦି ସେହି ଗାଡ଼ି ନଗଦ ଦିଅନ୍ତି ତେବେ ତାଙ୍କୁ ୨୦୦ ଟଙ୍କା ଦେବାକୁ ପଡିବ। କିନ୍ତୁ ଯଦି ସେ UPI କିମ୍ବା ଅନ୍ୟ କୌଣସି ଡିଜିଟାଲ ପଦ୍ଧତି ବ୍ୟବହାର କରନ୍ତି ତେବେ ତାଙ୍କୁ କେବଳ ୧୨୫ ଟଙ୍କା ଦେବାକୁ ପଡିବ। ଏହି ସଂଶୋଧନ ଭାରତର ଜାତୀୟ ରାଜପଥ ନେଟୱାର୍କରେ ସୁଗମ, ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ ଟୋଲ୍ ସଂଗ୍ରହ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

Comments are closed.