ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହ ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ହେଉଛି ସରକାରଙ୍କ ପ୍ରାଥମିକତା। ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ।
ବିଗତ ବର୍ଷମାନଙ୍କରେ ବିଦ୍ୟୁତ ଦେୟ ପଇଠ ହୋଇନଥିବା ଯୋଗୁଁ ଗ୍ରାମାଞ୍ଚଳର ଅନେକ ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସରବରାହ ବନ୍ଦ ହୋଇଯାଉଥିଲା। ତେଣୁ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା।
ତେବେ ଗ୍ରାମାଞ୍ଚଳରେ ଥିବା ନଳକୂପ ଖନନକୁ ପୁନଃ ଅନୁମତି ପ୍ରଦାନ କରାଯାଇଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ଅଚଳ ହୋଇଯାଇଥିବା ନଳକୂପ ବଦଳରେ ନୂତନ ନଳକୂପ, ନଳକୂପ ନଥିବା ନୂତନ ଜନବସତି, ପାଇପ୍ ଜଳଯୋଗାଣ ହୋଇନଥିବା ତଥା ବ୍ୟକ୍ତିଗତ ନଳକୂପ ନଥିବା ଅଞ୍ଚଳରେ ଯଦି ପ୍ରତି ନଳକୂପ ପିଛା ସତୁରୀ ଜଣରୁ ଊର୍ଦ୍ଧ୍ୱ ଲୋକ ରହିଥିବେ ତେବେ ସେହିଭଳି ସମସ୍ତ ଅଞ୍ଚଳରେ ନୂତନ ନଳକୂପ ଖନନ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସବୁମତେ ପ୍ରୟାସ କରାଯାଉଛି। ଏହାସହ ୨୦୨୫ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୭୨ଟି ବୃହତ ପାନୀୟଜଳ ପ୍ରକଳ୍ପ, ଡିସେମମ୍ବ ଶେଷ ସୁଦ୍ଧା ୫୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଏବଂ ୨୦୨୬ ଜୁନ୍ ଶେଷ ସୁଦ୍ଧା ୮୧ଟି ବୃହତ ପାନୀୟଜଳ ପ୍ରକଳ୍ପ (ମୋଟ ୨୦୭)ର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହେବ।
ଦୁର୍ଗମ ଓ ଉପାନ୍ତ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନେଇ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କଠାରୁ ଅଭିଯୋଗ ଶୁଣାଣି ମାଧ୍ୟମରେ ଯେଉଁ ସବୁ ପ୍ରସ୍ତାବ ଆସୁଛି ସେସବୁ ଉପରେ ମଧ୍ୟ କାର୍ଯ୍ୟ ଚାଲିଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି।
Comments are closed.