Latest Odisha News

BREAKING NEWS

ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’

କଟକ: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ । ଛାତ୍ର ଆନ୍ଦୋଳନ ସମୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଏବଂ ଚିଫ୍ ୱାର୍ଡେନଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ଘଟଣା ଏବେ ଏକ ବଡ଼ ରୂପ ନେଇଛି। ବିଧାୟକ ପ୍ରକାଶ ସେଠି ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଚସ୍ପତିଙ୍କୁ ଚିଠି ଲେଖିବା ପରେ, ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ଏହାର କଡ଼ା ଜବାବ ଦେଇଛି।

ଶିକ୍ଷକ ସଂଘର ସଭାନେତ୍ରୀ ଉର୍ମିଶ୍ରୀ ବେଦମତା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସଦର ବିଧାୟକ ପ୍ରକାଶ ସେଠି ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ନୁହଁନ୍ତି। କାରଣ ବିଶ୍ୱବିଦ୍ୟାଳୟର ସିନେଟ୍ ଗଠନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କିମ୍ବା ସିନେଟ୍ ଗଠନ ନେଇ କୌଣସି ଚୂଡ଼ାନ୍ତ ବିଜ୍ଞପ୍ତି ସରକାରୀ ସ୍ତରରେ ପ୍ରକାଶ ପାଇନାହିଁ । ତେଣୁ ନିଜକୁ ଜଣେ ସିନେଟ୍ ସଦସ୍ୟ ଦର୍ଶାଇ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବାର କୌଣସି ଯଥାର୍ଥତା ବା ଆଧାର ବିଧାୟକଙ୍କ ପାଖରେ ନାହିଁ ବୋଲି ରୁଟା ପକ୍ଷରୁ ଦାବି କରାଯାଇଛି ।

ଏଥିସହିତ ସଂଘ ପକ୍ଷରୁ କୁହାଯାଇଛି ଯେ, ଚିଫ୍ ୱାର୍ଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ବାଚସ୍ପତିଙ୍କୁ ଲେଖିଥିବା ଚିଠି ଏବେ ସର୍ବସାଧାରଣରେ ପ୍ରକାଶ ପାଇସାରିଲାଣି । ତେଣୁ ବିଧାୟକ ପ୍ରଥମେ ସେହି ଚିଠିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ତା’ପରେ ଯାଇ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ବାଟ ଫିଟିପାରିବ ବୋଲି ସଭାନେତ୍ରୀ ମତ ରଖିଛନ୍ତି।

ସୂଚନାଯୋଗ୍ୟ, ହଷ୍ଟେଲ ସମସ୍ୟାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ସମୟରେ ବିଧାୟକ ଏବଂ ଶିକ୍ଷକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ବିଶ୍ୱବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ୱ ୱାର୍ଡେନ ଓ ଡେପୁଟି ୱାର୍ଡେନ ସାମୂହିକ ଇସ୍ତଫା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ, ଉଭୟ ଶିକ୍ଷକ ସଂଘ ଏବଂ ବିଧାୟକ ନିଜ ନିଜ ଜିଦରେ ଅଟଳ ଥିବାରୁ ଆଗାମୀ ଦିନରେ ଏହି ବିବାଦ କିଭଳି ରୂପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.