ନୂଆଦିଲ୍ଲୀ: ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ୧ ଜାନୁଆରି ନୂଆବର୍ଷ ହେଲେ ମଧ୍ୟ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ପ୍ରକୃତ ନବବର୍ଷ ଆରମ୍ଭ ହେଉଛି ଚୈତ୍ର ଶୁକ୍ଳ ପ୍ରତିପଦାରୁ। ଆସନ୍ତା ୧୯ ମାର୍ଚ୍ଚ ୨୦୨୬, ଗୁରୁବାର ଠାରୁ ହିନ୍ଦୁ ନବବର୍ଷ ୨୦୮୩ (ବିକ୍ରମ ସଂବତ୍) ଆରମ୍ଭ ହେବ। ଏହି ବର୍ଷକୁ ‘ରୌଦ୍ର ସଂବତ୍ସର’ ନାମ ଦିଆଯାଇଛି ଏବଂ ଏହା ସାଧାରଣ ୧୨ ମାସ ବଦଳରେ ୧୩ ମାସର ହେବ। ଜ୍ୟେଷ୍ଠ (ଜେଠ) ମାସ ଦୁଇଥର ଆସିବ ବୋଲି ଏହାକୁ ‘ଅଧିକମାସ’ ବର୍ଷ ମଧ୍ୟ କୁହାଯାଉଛି।
ରାଜା ଗୁରୁ, ମନ୍ତ୍ରୀ ମଙ୍ଗଳ!
ପଞ୍ଚାଙ୍ଗ ଓ ଗ୍ରହଗତି ଅନୁସାରେ ପ୍ରତିବର୍ଷ ନବବର୍ଷର ରାଜା ଓ ମନ୍ତ୍ରୀ ନିର୍ଧାରଣ ହୁଏ। ଏଥର ନବବର୍ଷ ଗୁରୁବାରରୁ ଆରମ୍ଭ ହେଉଥିବାରୁ ରାଜା ହେବେ ଗୁରୁ (ବୃହସ୍ପତି) ଏବଂ ମନ୍ତ୍ରୀ ହେବେ ମଙ୍ଗଳ। ଏହି ଦୁଇ ଗ୍ରହଙ୍କ ମିଶ୍ରଣ ପୁରା ବର୍ଷର ରାଜନୀତି, ଅର୍ଥନୀତି, ସାମାଜିକ ପରିସ୍ଥିତି ଓ ପାଗକୁ ବହୁମାତ୍ରାରେ ପ୍ରଭାବିତ କରିବ।
ଜ୍ୟୋତିଷାଚାର୍ଯ୍ୟ ଅନୀଷ ବ୍ୟାସଙ୍କ ଅନୁସାରେ, “୨୦୨୬ ହେଉଛି ବଡ଼ ଧରଣର ପରିବର୍ତ୍ତନର ବର୍ଷ। ଗୁରୁ ରାଜା ହେବାରୁ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବଢ଼ିବ, ଶିକ୍ଷା ଓ ନ୍ୟାୟ କ୍ଷେତ୍ରରେ ସୁଦୂରପ୍ରସାରୀ ପରିବର୍ତ୍ତନ ଆସିବ। ତୀର୍ଥଯାତ୍ରା ଓ ବଡ଼ ଧାର୍ମିକ ମହୋତ୍ସବ ହେବାର ସମ୍ଭାବନା ପ୍ରବଳ। ଅର୍ଥନୀତିରେ ମନ୍ଥର କିନ୍ତୁ ସ୍ଥିର ଉନ୍ନତି ହେବ।”
କିନ୍ତୁ ମନ୍ତ୍ରୀ ମଙ୍ଗଳ ହେବାରୁ ଚିନ୍ତାର କାରଣ ମଧ୍ୟ ରହିଛି। ମଙ୍ଗଳ ଅଗ୍ନିତତ୍ତ୍ୱର ଗ୍ରହ ହୋଇଥିବାରୁ ଏହି ବର୍ଷରେ ଉଗ୍ରତା, ରାଜନୈତିକ ଅସ୍ଥିରତା, ଦେଶମାନଙ୍କ ମଧ୍ୟରେ ତୀବ୍ର ବିବାଦ ଓ ଯୁଦ୍ଧ-ସଦୃଶ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେନା, ପୋଲିସ ଓ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଦେଖାଯିବ। ପାଗ ଅତ୍ୟଧିକ ଗରମ ଓ ଖରା ରହିବାର ସମ୍ଭାବନା ଅଛି। ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟର ବିପଦ ମଧ୍ୟ ରହିଛି।
ଜ୍ୟୋତିଷ ବିଶେଷଜ୍ଞମାନେ କହୁଛନ୍ତି ଯେ ଗୁରୁ ରାଜା ହେବାରୁ ମଙ୍ଗଳର ଉଗ୍ରତା କିଛି ମାତ୍ରାରେ ନିୟନ୍ତ୍ରଣରେ ରହିବ ଏବଂ ଆଧ୍ୟାତ୍ମିକତା ଓ ଧର୍ମର ପ୍ରଭାବ ବଳବତ୍ତର ହେବ। ତଥାପି ସମଗ୍ର ବିଶ୍ୱରେ ରାଜନୈତିକ ଉତ୍ଥାନପତ ଓ ଅଶାନ୍ତିର ମେଘ ଘନେଇ ରହିବ।ତେଣୁ ୧୯ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହେଉଥିବା ଏହି ରୌଦ୍ର ସଂବତ୍ସର ଧର୍ମ ଓ ଆଧ୍ୟାତ୍ମିକତାର ବିକାଶ ସହିତ ରାଜନୈତିକ ଓ ପ୍ରାକୃତିକ ଅସ୍ଥିରତାର ମିଶ୍ରଣ ନେଇ ଆସୁଛି। ଜ୍ୟୋତିଷ ବିଦ୍ୱାନମାନେ ପରାମର୍ଶ ଦେଉଛନ୍ତି ଯେ ଏହି ବର୍ଷରେ ଧୈର୍ଯ୍ୟ, ସାଧନା ଓ ସଚେତନତା ରକ୍ଷା କରି ଚାଲିଲେ ଅନେକ ବିପଦରୁ ରକ୍ଷା ପାଇହେବ।