Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକ ମାରିଲେ ଆଲେନ, ଫାଇନାଲରେ ନ୍ୟୁଜିଲାଣ୍ଡ

କୋଲକାତା: ଫିନ ଆଲେନଙ୍କ ବିସ୍ଫୋରକ ଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ । ଇଡେନଗାର୍ଡେନରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୧୨.୫ ଓଭରରେ ଗୋଟିଏ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା ।

ଦୁଇ ଓପନର ଟିମ ସେଇଫର୍ଟ ଓ ଫିନ ଆଲେନ ୯.୧ ଓଭରରେ ୧୧୭ ରନ ସଂଗ୍ରହ କରି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ସପକ୍ଷରେ ଆଣିଥିଲେ । ଆଲେନ ଏହା ପରେ ବିସ୍ଫୋରକ ବ୍ୟାଟିଂ ଜାରୀ ମ୍ୟାଚକୁ ଜିତାଇବା ସହ ଶତକ ମଧ୍ୟ ହାସଲ କରିଥିଲେ । ସେ ୩୩ ବଲରେ ୧୦ ଚୌକା ଓ ୮ ଛକା ବଳରେ ଶତକ ମାରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଟି୨୦ ବିଶ୍ୱକପ ଇତିହାସରେ ଏହା ଦ୍ରୁତତମ ଶତକ । ତାଙ୍କ ପୂର୍ବରୁ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ କ୍ରିସ ଗେଲ ୪୭ ବଲରେ ଶତକ ମାରିଥିଲେ । ଏହା ଆଲେନଙ୍କ ଟି୨୦ ଆନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ । ରଚୀନ ରବୀନ୍ଦ୍ର ୧୩ ରନ କରିଥିଲେ । କାଗିସୋ ରାବାଡା ଏକମାତ୍ର ୱିକେଟ ନେଇଥିଲେ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିଲା । ମାର୍କୋ ଜାନେସନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ଏକ ଆଭରେଜ ସ୍କୋର କରିପାରିଥିଲା । ସମ୍ପୂର୍ଣ୍ଣ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରି ଅପରାଜେୟ ରହିଥିବା ଦକ୍ଷିଣ ଆଫ୍ରିକା କିନ୍ତୁ ସେମିଫାଇନାଲରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଏକଦା ୧୦ ଓଭର ବେଳକୁ ୭୭ ରନରେ ୫ଟି ୱିକେଟ ହରାଇଥିଲା । ଜାନେସନ ୫୫ ରନ କରି ଅପରାଜିତ ରହିଥିଲେ । ଡେୱାଲ୍ଡ ବ୍ରେଭିସ ୩୪, ଟ୍ରିଷ୍ଟିଆନ ଷ୍ଟବ୍ସ ୨୯ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ଟ ହେନେରୀ, କୋଲେ ମ୍ୟାଜକୋନେଚେ ଓ ରଚୀନ ରବୀନ୍ଦ୍ର ୨ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଆଲେନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.