ସୁନ୍ଦରଗଡ: ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡ଼ୁ ନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍) କର୍ମଚାରୀଙ୍କ ନାମରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି। ସୂଚନାମୁତାବକ , ଟଙ୍କା ପାଇଁ ୪୦ ମିନିଟ୍ କାଳ ଜଣେ ନବଜାତ ଶିଶୁକୁ ମା’ଠାରୁ ଦୂରେଇ ରଖାଯାଇଥିଲା ଓ ଟଙ୍କା ଦେଲା ପରେ ଛୁଆକୁ ମା’ କୋଳକୁ ଛାଡିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତ ପରିବାରବର୍ଗ ଓ ଆଶାକର୍ମୀ। ଏହାପରେ ଏଡିଏମଓ ଡା. ପ୍ରସାଦ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାନୁସାରେ, ସୁନ୍ଦରଗଡ଼ ହାଉସିଂବୋର୍ଡ କଲୋନିର ରାଜେନ୍ଦ୍ର ଓରାମଙ୍କ ପତ୍ନୀ ମାଙ୍ଗି ଓରାମଙ୍କ ପ୍ରସବବେଦନା ହେବାରୁ ୨୬ ତାରିଖ ଦିନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ୍)ରେ ଭର୍ତ୍ତି ହୋଇଥିଲେ। ଗୁରୁବାର ୧୦ଟା ୫୫ରେ ମାଙ୍ଗି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ପ୍ରସବ ପରେ ତାଙ୍କୁ ୱାର୍ଡକୁ ପଠାଇ ଦିଆଯାଇଥିଲା। କିନ୍ତୁ ନବଜାତ ଶିଶୁକୁ ସ୍ବାସ୍ଥ୍ୟ ପରୀକ୍ଷା ସହ ଟିକା ଦେବା ପାଇଁ ରଖାଗଲା। ଏହା ମଧ୍ୟରେ ପ୍ରସବ କକ୍ଷରେ କାର୍ଯ୍ୟରତ ସେବିକା ନବଜାତ ଶିଶୁ ପାଇଁ ରାଜେନ୍ଦ୍ରଙ୍କୁ ହଜାରେ ଟଙ୍କା ମାଗିଲେ ଓ କହିଲେ ଟଙ୍କା ନ ଦେଲେ ଛୁଆକୁ ଦିଆଯିବ ନାହିଁ ।
କୁଲି ମଜୁରି କରି ପେଟ ପୋଷୁଥିବା ରାଜେନ୍ଦ୍ର ୫୦୦ ଟଙ୍କା ଦେଇଥିଲେ। କିନ୍ତୁ ଏଥିରେ ରାଜି ହୋଇ ନଥିଲେ ସେବିକା। ହଜାରେ ଟଙ୍କା ପାଇଁ ନବଜାତକକୁ ୪୦ ମିନିଟ୍ ମା’ଠାରୁ ଦୂରେଇ ରଖିଥିଲେ। ଶେଷରେ ରାଜେନ୍ଦ୍ର ୧ ହଜାର ଟଙ୍କା ଦେବା ପରେ ଶିଶୁକୁ ମା’ କୋଳକୁ ଛାଡିଥିଲେ। ଶିଶୁ ଜନ୍ମନେବା କ୍ଷଣି ମା’ଠୁ କ୍ଷୀର ଖାଇବା କଥା। ମା’ କୋଳରୁ ଶିଶୁକୁ ଦୂରେଇ ରଖିବାକୁ ନେଇ ପରିବାରବର୍ଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଶାକର୍ମୀମାନେ ମଧ୍ୟ ଏମ୍ସିଏଚ୍ରେ ଠୁଳ ହୋଇ ପ୍ରତିବାଦ କରିଥିଲେ। ନବଜାତ ଶିଶୁକୁ ନେଇ ସେବିକାମାନେ ସଉଦା କରୁଥିବା ଅଭିଯୋଗ କରିଥିଲେ।
ସେହିପରି ଲେଫ୍ରିପଡ଼ା ଶ୍ରୀଭୁବନପୁର ଗୁଲବଦନ ଓରାମଙ୍କ ଗର୍ଭବତୀ ପତ୍ନୀ ପ୍ରିୟଙ୍କା ମୁଣ୍ଡାଙ୍କୁ ମଧ୍ୟ ୨୪ ତାରିଖରେ ଏମସିଏଚ୍ରେ ଭର୍ତ୍ତି କରାଯାଇଥିଲା। ୨୫ରେ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ। ଏପଟେ ପ୍ରିୟଙ୍କାଙ୍କ ବଡ଼ ଭଉଣୀ ପ୍ରିୟା କେରକେଟାଙ୍କଠାରୁ ପ୍ରସବ କକ୍ଷର ସେବିକା ଛୁଆ ପାଇଁ ୧ ହଜାର ଟଙ୍କା ମାଗି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ପରିବାର ଓ ଆଶାକର୍ମୀ ଏଡିଏମ୍ଓ ଡା. ପ୍ରଦୀପ କୁମାର ପ୍ରସାଦଙ୍କୁ ଭେଟିଥିଲେ ଓ ଲିଖିତ ଅଭିଯୋଗ କରିଛନ୍ତି। ଏଡିଏମଓ ଡା. ପ୍ରସାଦ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଓ ସମ୍ପୃକ୍ତ କର୍ମଚାରୀ ଟଙ୍କା ଫେରାଇ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Comments are closed.