ରେଙ୍ଗାଲିରୁ ଉଦ୍ଧାର ଭୀମସାରରୁ ଅପହୃତ ନବଜାତକ
ବୁର୍ଲା: ବୁର୍ଲାର ଭୀମସାରରୁ ଚୋରି ହେବାର ଦୁଇ ଦିନ ପରେ ଓଡିଶା ପୋଲିସ ଗୁରୁବାର ରେଙ୍ଗାଲୀ ନିକଟ ଗଣେଶ ନଗରସ୍ଥିତ ଏକ ଘରୁ ନବଜାତ ଶିଶୁକୁ ଉଦ୍ଧାର କରିଛି।
ଉଦ୍ଧାର ପରେ ଶିଶୁକୁ ଭୀମସାରକୁ ଫେରାଇ ନିଆଯାଇଛି। ଶିଶୁଟି ଯେଉଁ ଦମ୍ପତିଙ୍କ ପାଖରୁ ମିଳିଛି ସେମାନଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂତ୍ରରୁ ପ୍ରକାଶ।
ଅତିରିକ୍ତ ଏସପି ହରେଶ ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ଖବର ମିଳିବା ପରେ ଆମେ ଉକ୍ତ ଘରେ ଚଢାଉ କରିଥିଲୁ। ନବଜାତ ଶିଶୁକୁ ମହିଳାଙ୍କ ସମେତ ଦୁଇଜଣ ବ୍ୟକ୍ତି ଉଠାଇ ନେଇଥିବାର ସନ୍ଦେହ କରାଯାଉଛି। ଫଳରେ ସେମାନଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।”
ତେବେ ଅପହରଣ ପଛରେ ଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଶିଶୁ ସମ୍ପର୍କରେ ସୂଚନା ପାଇବା ପାଇଁ ଚାରୋଟି ସ୍ୱତନ୍ତ୍ର ଦଳ ଗଠନ କରିଥିଲେ ସମ୍ବଲପୁର ପୋଲିସ। ଏପରିକି ଶିଶୁ ସମ୍ପର୍କରେ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା।
Comments are closed.