Latest Odisha News

BREAKING NEWS

ବିଜେପି ଶାସିତ ୭ମ ରାଜ୍ଯ ଭାବେ ଟ୍ୟାକ୍ସ ଫ୍ରି ହେଲା ‘ସାବରମତି ରିପୋର୍ଟ’

ଭୁବନେଶ୍ୱର: ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଓଡ଼ିଶା ସପ୍ତମ ବିଜେପି ଶାସିତ ରାଜ୍ୟ ଭାବେ ‘ସାବରମତି ରିପୋର୍ଟ’କୁ କରମୁକ୍ତ କରିଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ଦିନ ବିଧାନସଭାରେ ଏହି ଘୋଷଣା କରିଛନ୍ତି। ବିକ୍ରାନ୍ତ ମେସିଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଗତ ୧୨ଦିନ ମଧ୍ୟରେ ୨୦କୋଟିରୁ ଅଧିକ ଆୟ କରିସାରିଲାଣି।

ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “ଦ ସାବରମତି ରିପୋର୍ଟ” ୨୦୦୨ ମସିହାରେ ହୋଇଥିବା ଗୋଧ୍ରା ରେଳ ପୋଡି ଘଟଣା ଉପରେ ପର୍ଯ୍ୟବସିତ ଏବଂ ଚଳଚ୍ଚିତ୍ରଟି ବର୍ତ୍ତମାନ ଓଡ଼ିଶାର ପ୍ରେକ୍ଷାଳୟ ମାନଙ୍କରେ ପ୍ରଦର୍ଶିତ ହେଉଛି। ଚଳଚ୍ଚିତ୍ରର ଗୁଣାତ୍ମକ ଓ ଭାବନାତ୍ମକ କାହାଣୀ ଦୃଷ୍ଟିରୁ ଏହାକୁ ଅଧିକରୁ ଅଧିକ ଲୋକ ଦେଖିବାର ଆବଶ୍ୟକତା ରହିଛି ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଧୀରଜ ସରନାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଶୋଭା କପୁର, ଏକତା ଆର କପୁର, ଅମୁଲ ଭି ମୋହନ ଏବଂ ଅନସୁଲ ମୋହନଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ରାଶି ଖନ୍ନା ଏବଂ ରିଦ୍ଧି ଡୋଗ୍ରା ମଧ୍ୟ ଅଭିନୟ କରିଛନ୍ତି।

ତେବେ ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିଲା ‘ଦ ସାବରମତି ରିପୋର୍ଟ’। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟିକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହାପରେ ଚଳଚ୍ଚିତ୍ରକୁ ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ଫିଲ୍ମକୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ଯ କରିଛନ୍ତି, ଏହା ଏକ ଭଲ କଥା ଯେ ସତ୍ୟ ବାହାରକୁ ଆସୁଛି ଏବଂ ତାହା ମଧ୍ୟ ଏକ ରୂପରେ ଯାହାକୁ ସାଧାରଣ ଜନତା ଦେଖିପାରିବେ। ଏକ ଭୁଲ୍ କାହାଣୀ ଏବଂ ମିଛ କେବଳ ସୀମିତ ସମୟ ପାଇଁ ଚାଲିଥାଏ। ଶେଷରେ ସତ୍ୟ ପଦାକୁ ଆସିଥାଏ।

Comments are closed.