Latest Odisha News

BREAKING NEWS

ଆଜି ଶପଥ ନେବେ ନବନିର୍ବାଚିତ ବିଧାୟକ, ୨୦ ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ଅର୍ଥାତ ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଇବେ। ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକମାନେ ମଙ୍ଗଳବାର ଓ ବୁଧବାର ବିଧାନସଭାରେ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବରେ ମୋଟ୍ ୧୪୬ଜଣ ବିଧାୟକ ଶପଥ ନେବେ।

ମଙ୍ଗଳବାର ଓ ବୁଧବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ୧୯ ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ପୂର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେପି ପକ୍ଷରୁ ଏଯାଏଁ ସ୍ପଷ୍ଟ କରାଯାଇନି।

ସୂଚନାଯୋଗ୍ୟ, ବିଜେପି ନିଜର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି। ବିଧାନସଭାରେ ବିଜେପିର ୭୮ ବିଧାୟକ ଓ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ବିଜେପି ପାଖରେ ରହିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ଜାରି ହେବ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ୍‌ ମୁତୟନ ରହିବେ।

Leave A Reply

Your email address will not be published.