Latest Odisha News

BREAKING NEWS

ତାତିରୁ ନାହିଁ ନିସ୍ତାର, ଝାରସୁଗୁଡ଼ା ପାଲଟିଲା ଦେଶରେ ଦ୍ୱିତୀୟ ଉତ୍ତପ୍ତ ସହର

ଭୁବନେଶ୍ବର: ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ । ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ତାତିରୁ ମିଳୁନି ନିସ୍ତାର। ଦିନ ୧୧ଟାରୁ ୩ଟା, ଅସମ୍ଭାଳ ତାତି। ଛଟପଟ କରିଦେଉଛି ପ୍ରଚଣ୍ଡ ଗ୍ରୀଷ୍ମ। ଗୋଡ଼ାଉଛି ତାତି ଆତଙ୍କ। ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ତାତି। ଗତକାଲି ପୁଣି ଥରେ ଝାରସୁଗୁଡ଼ା ଓଡିଶାର ପ୍ରଥମ ଉତ୍ତପ୍ତ ସହର ପାଲଟିଥିବା ବେଳେ, ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୮ ସହର।

ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୫.୨ ଡିଗ୍ରୀ ସେଲସିୟସ୍ । ତା’ ପଛକୁ ଦ୍ୱିତୀୟରେ ଥିଲା ଓଡ଼ିଶାର ଝାରସୁଗୁଡ଼ା। ଏଠି ପାରଦ ଛୁଇଁଲା ୪୪.୮ ଡିଗ୍ରୀ। ୪୫ ଡିଗ୍ରୀ ମୁହାଁ ଝାରସୁଗୁଡ଼ା ଦାଉ ଦାଉ ହୋଇ ମଧ୍ୟ ଜଳୁଥିଲା । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ୬ଟି ସ୍ଥାନ ୪୩ ଡେଇଁଥିଲା । ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରୀ, ସମ୍ବଲପୁର ୪୩.୬, ହୀରାକୁଦ ୪୩.୪, ଅନୁଗୁଳ ୪୩.୧, ବଲାଙ୍ଗିର ୪୩ । ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ସୋନପୁର, ପାରଳାଖେମୁଣ୍ଡି, ନୂଆପଡ଼ା ତାପମାତ୍ରା ୪୨-୪୩ ଡିଗ୍ରୀ ଭିତରେ ରହିଥିଲା ।

ତେବେ ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର। ଦୁଇଦିନ ପରେ ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଜୁଳି ଓ ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

Leave A Reply

Your email address will not be published.