Latest Odisha News

BREAKING NEWS

ତିନି ଘଣ୍ଟାରେ ଅବପାତର ରୂପ ନେବ ସୃଷ୍ଟ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ସ୍ପଷ୍ଟ ଲଘୁଚାପର ରୂପ ନେଇ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଏହି ସମ୍ଭାବ୍ୟ ବାତ୍ୟା ‘ଆସାନି’ ମେ’ ୧୦ ସନ୍ଧ୍ୟାରୁ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଶନିବାର ପୂର୍ବାନୁମାନ କରିଛି।

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ପୂର୍ବାହ୍ନ ସାଢ଼େ ୮ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ଥିର ରହିଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସହ ୮ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ, ୧୦ ତାରିଖ ସନ୍ଧ୍ୟା ଯାଏ ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ।

“ମେ’ ୧୦ ତାରିଖରୁ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ଏହି ସମୟରେ ଉପକୂଳ ଓଡ଼ିଶାର ଜିଲ୍ଲା ୭ରୁ ୧୧ ସେମିର ବର୍ଷା ହୋଇପାରେ। ଅନେକ ସ୍ଥାନରେ ସନ୍ଧ୍ୟା ଠାରୁ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ଏବଂ ପୁରୀର ଏକ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଧିକ। ସେହିପରି ୧୧ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଧିକ । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କଟକ ଜିଲ୍ଲାର ଦୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି।

ସେହିପରି ମେ ୯ ତାରିଖରେ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିବ। ମେ ୧୦ରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୮୦-୯୦ କିଲୋମିଟରରୁ ୧୦୦ କିଲୋମିଟର ମଧ୍ୟରେ ପବନ ବହିବ। ୧୧ ତାରିଖରେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

Leave A Reply

Your email address will not be published.