Latest Odisha News

BREAKING NEWS

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ୍

ଦେଓଗଡ: ବିଧାୟକ ସୁବାସ ପାଣିଗ୍ରାହୀ ପାଇଲେ ଜାମିନ । ଜିଲ୍ଲା କୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଥିଲେ। ଏବେ 7 ଦିନ ପରେ କୋର୍ଟ ଜାମିନ ଆବେଦନର ଶୁଣାଣି କରି ଉଭୟ ବିଧାୟକ ଏବଂ ଦୁଇ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

କୋର୍ଟ ଏହି ସମୟରେ ଜାମିନ ପ୍ରଦାନ କରିଛନ୍ତି ଯେଉଁ ସମୟରେ ବିଜେପି ରାଜ୍ୟର ସମସ୍ତ ଏସପି ଅଫିସ ସାମ୍ନାରେ ଧାରଣା ଦେବାକୁ ଡାକରା ଦେଇଛି। ଆଉ ଆଜି ସମ୍ବଲପୁରରେ ଏସପି ଅଫିସ ସାମ୍ନାରେ ବିଜେପି ଧାରଣା ଦେଉଛି। ବିଜେପି ଦାବି କରିଛି ଯେ ବିଡିଓଙ୍କ ବିରୋଧରେ ବିଧାୟକ ଆଗ ଏତଲା ଦେଇଥିଲେ। ହେଲେ ଏହାକୁ ପୋଲିସ ବିଚାର ନକରି ବିଡିଓଙ୍କ ଏତଲାକୁ ଏକପାଖିଆ ଭାବେ ବିଚାର କରି ବିଧାୟକଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ 30ରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଡିଓ ଏବଂ ବିଧାୟକ ପରସ୍ପର ଆଗ ପଛ ହୋଇ ଥାନାରେ ଏତଲା ଦେଇଥିଲେ । ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ବିଡିଓଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ ।

ପରେ ମେ 1 ସକାଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଥିଲା ଦେବଗଡ଼ ପୋଲିସ। ବିଧାୟକଙ୍କୁ ରାସ୍ତାରେ ନେବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ସାଲାଇନ ଦିଆଯାଇଥିଲା। ପରେ ସେ ସୁସ୍ଥ ହୋଇଥିଲେ ଏବଂ କୋର୍ଟରେ ହାଜର ହୋଇଥିଲା।

Leave A Reply

Your email address will not be published.