ଭୁବନେଶ୍ୱର: ରାଜ୍ୟରେ ପୁଣି ଫରିଲା ପ୍ରଚଣ୍ଡ ତାତି। ତେବେ ଆଗାମୀ ୫ ଦିନ ଯାଏଁ ଭୀଷଣ ଗୁଳୁଗୁଳିରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ପ୍ରବଳ ତାତି ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଇଛି। ୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। କିଛି ସ୍ଥାନରେ ପବନର ଝଟ୍କା ୪୦ରୁ ୫୦ କିମି ଛୁଇଁପାରେ। ପଶ୍ଚିମ ଓଡ଼ିଶାର ଏକାଧିକ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ କରିବ। ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଗରମ ଜାରି ରହିବ।
୧୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ୧୫ ଓ ୧୬ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ରହିଥିଲା । ହୀରାକୁଦରେ ୪୧.୭, ଝାରସୁଗୁଡ଼ାରେ ୪୧.୬, ଟିଟିଲାଗଡ଼ରେ ୪୧.୫, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ ୪୧, ଖୋର୍ଦ୍ଧାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।
Comments are closed.