ଭୁବନେଶ୍ୱର: ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ବର୍ଷୁଛି ନିଆଁ। ୪୫ ଡିଗ୍ରୀ ଡେଇଁଲା ପାରଦ। ଆଜିଠୁ ଗ୍ରୀଷ୍ମ ଲହରୀ ଆରମ୍ଭ। ୨୩ରୁ ସାଂଘାତିକ ହେବ ତାତି। ଝାରସୁଗୁଡ଼ା ତାପମାତ୍ରା ୪୫.୪ ଡିଗ୍ରୀ ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର। ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା।
ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ଓଡ଼ିଶାରେ ତାତି କମ୍ ଥିଲେ ବି ଅସମ୍ଭାଳ ହୋଇଛି ଗୁଳୁଗୁଳି ପ୍ରକୋପ। ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ। ଡରାଇଲାଣି ପାଣିପାଗ ପୂର୍ବାନୁମାନ। ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ। ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ। ଗ୍ରୀଷ୍ମ ଲହରୀରେ ଜଳିବ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ।
ଆଜି ପାଇଁ ୪ ଜିଲ୍ଲା ଯଥା- ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାକୁ ହିଟ୍ ୱେଭ୍ ବା ଗ୍ରୀଷ୍ମଲହରୀ ନେଇ ବିଭାଗ ତରଫରୁ ସତର୍କତା ଜାରି କରିଛି। ସୋମବାର ବୌଦ୍ଧରେ ୪୩.୨, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ, ଭବାନୀପାଟଣାରେ ୪୨.୫, ହୀରାକୁଦରେ ୪୨.୪, ବଲାଙ୍ଗୀର ୪୨.୩, ସୁବର୍ଣ୍ଣପୁରରେ ୪୨.୧, ରାଉରକେଲା ଓ ବରଗଡ଼ରେ ୪୨ ଡିଗ୍ରୀ, ଅନୁଗୋଳରେ ୪୧.୭, ନୂଆପଡ଼ାରେ ୪୧.୫ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେହିପରି କଟକରେ ୩୫.୮ ଏବଂ ଭୁବନେଶ୍ବରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
Comments are closed.