ନୂଆଦିଲ୍ଲୀ: ଏଣିକି ମନ ଇଚ୍ଛା ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ ଭାରତୀୟ ଏନଜିଓ। ଏହାସହ କୌଣସି ଏନଜିଓ ଖବର ପ୍ରକାଶନ ମଧ୍ୟ କରିପାରିବେ ନାହିଁ। ଏନେଇ ଏଫ୍ସିଆର୍ଏକୁ କଡ଼ାକଡ଼ି କଲା କେନ୍ଦ୍ର। କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରକାଶନ କାର୍ଯ୍ୟକଳାପରେ ନିୟୋଜିତ ଏବଂ ବିଦେଶୀ ପାଣ୍ଠି ଗ୍ରହଣ କରୁଥିବା ଅଣ-ସରକାରୀ ସଂଗଠନ (ଏନଜିଓ) କୌଣସି ଖବରକାଗଜ ପ୍ରକାଶନ କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଭାରତୀୟ ଖବରକାଗଜ ନିବନ୍ଧକଙ୍କଠାରୁ ଏକ ପ୍ରମାଣପତ୍ର ନେବାକୁ ପଡିବ।
ଦେଶର ଏନ୍ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ଏଫ୍ସିଆର୍ଏ ଅଧୀନରେ ପଞ୍ଜୀକରଣ ଆବେଦନ କରିବାକୁ ଚାହୁଁଥିବା ଏନ୍ଜିଓଗୁଡ଼ିକୁ ନୂଆ ନିୟମାବଳୀ ମାନି ଚଳିବାକୁ ପଡ଼ିବ। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଏଫ୍ସିଆର୍ଏ ନିୟମରେ ଅଣାଯାଇଥିବା ସଂଶୋଧନ ଅନୁଯାୟୀ ବିଦେଶୀ ପାଣ୍ଠି ହାସଲ ଲାଗି ଅନୁମତି ଚାହୁଁଥିବା ଏନ୍ଜିଓଗୁଡ଼ିକୁ ଟେରର ଫଣ୍ଡିଂ ଏବଂ ମନିଲଣ୍ଡରିଂ ସମ୍ପର୍କିତ ଜଗୁଆଳି ସଂସ୍ଥା ଏଫ୍ଏଟିଏଫ୍ର ଗୁଡ୍ ପ୍ରାକ୍ଟିସ୍ ଗାଇଡ୍ଲାଇନ୍ସ ମାନି ଚଳିବା ନେଇ ଲିଖିତ ଭାବେ ଏକ ଅଙ୍ଗୀକାରପତ୍ର ଦାଖଲ କରିବାକୁ ପଡ଼ିବ।
ଯେଉଁ ସଂସ୍ଥା ବା ଏନ୍ଜିଓ ପଞ୍ଜୀକରଣ ପାଇଁ ଆବେଦନ କରିବେ, ସେଗୁଡ଼ିକ ନିଜ ଆବେଦନପତ୍ରରେ ଅନୂ୍ୟନ ୩ ବର୍ଷର ଫାଇନାନ୍ସିଆଲ ଷ୍ଟେଟ୍ମେଣ୍ଟ ଓ ଅଡିଟ୍ ରିପୋର୍ଟ ଦାଖଲ କରିବେ। ସେଥିରେ ସମ୍ପୃକ୍ତ ଏନ୍ଜିଓର ସମ୍ପତ୍ତି, ଋଣ, ଗ୍ରହଣ କରିଥିବା ପାଣ୍ଠିର ରସିଦ, ଦେୟ ବିବରଣୀ ଏବଂ ଆୟବ୍ୟୟ ଆକାଉଣ୍ଟ ତଥ୍ୟ ମଧ୍ୟ ରହିବ। ଅଡିଟ୍ ରିପୋର୍ଟ ଓ ଫାଇନାନ୍ସିଆଲ ଷ୍ଟେଟ୍ମେଣ୍ଟରେ କାର୍ଯ୍ୟକଳାପ ଅନୁସାରେ ଗତ ୩ ବର୍ଷର ଏକ୍ସପେଣ୍ଡିଚର ରହି ନଥିଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ। ସମ୍ପୃକ୍ତ ସଂସ୍ଥା ଦ୍ୱାରା ଖର୍ଚ୍ଚ କରାଯାଇଥିବା ଅର୍ଥ ଏହାର ଆୟବ୍ୟୟ ଅନୁରୂପ ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେଥିରେ ଉଲ୍ଲେଖ କରିବେ।
ଯଦି ସଂଘ କିମ୍ବା ଏନଜିଓ ପ୍ରକାଶନ କାର୍ଯ୍ୟକଳାପରେ ଜଡିତ ଥାଏ କିମ୍ବା ‘ସଂସ୍ଥା ସ୍ମାରକପତ୍ର’ କିମ୍ବା ସଂଘର ଟ୍ରଷ୍ଟ ଡିଡ୍ ରେ ଉଲ୍ଲେଖ ଥିବା ପରି ପ୍ରକାଶନ କାର୍ଯ୍ୟକଳାପ ଏହାର ଉଦ୍ଦେଶ୍ୟଗୁଡ଼ିକରେ ଅନ୍ତର୍ଭୁକ୍ତ ଥାଏ, ତେବେ ମୁଖ୍ୟ ପଦାଧିକାରୀଙ୍କ ଠାରୁ FCRA, ୨୦୧୦ର ଅନୁପାଳନ ସମ୍ପର୍କରେ ଏକ ଆଫିଡେଭିଟ୍ ନେବାକୁ ପଡିବ।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି ଯେ, ଯଦି ସମ୍ପୃକ୍ତ ସଂସ୍ଥା ଆର୍ଏନ୍ଆଇରେ ପଞ୍ଜୀକୃତ ହୋଇଛି ତେବେ ତାକୁ ଆର୍ଏନ୍ଆଇଠାରୁ ‘ନଟ୍ ଏ ନ୍ୟୁଜ୍ପେପର’ ସାର୍ଟିଫିକେଟ୍ ଆଣି ଦାଖଲ କରିବାକୁ ପଡ଼ିବ। ଯଦି ଏନ୍ଜିଓ ପୂର୍ବରୁ ଏଫ୍ସିଆର୍ଏ ଅଧୀନରେ ପଞ୍ଜୀକୃତ ହୋଇଥାଏ ତେବେ ଏହାକୁ ରେଜିଷ୍ଟ୍ରେଶନ୍ ସାର୍ଟିଫିକେଟ୍ ଅବଧି ଶେଷ କିମ୍ବା ରଦ୍ଦ ହେବା ପରେ ମିଳିଥିବା ଓ ବିନିଯୋଗ କରାଯାଇଥିବା ବିଦେଶୀ ପାଣ୍ଠି ସମ୍ପର୍କିତ ବିବରଣୀ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଯଦି ଏନ୍ଜିଓର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ତମ୍ଭରେ ଗତ ୩ ବର୍ଷର ବ୍ୟୟ ୧୫ ଲକ୍ଷ ଟଙ୍କାରୁ କମ୍ ରହିଥିବ, ତେବେ ପୁଞ୍ଜି ଅନ୍ତର୍ଭୁକ୍ତୀକରଣ ଉପରେ ସତ୍ୟପାଠ ଦେବାକୁ ପଡ଼ିବ ବୋଲି ଉକ୍ତ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି।
ସେହିପରି ଏନ୍ଜିଓର ପ୍ରଶାସନିକ ଖର୍ଚ୍ଚକୁ ମଧ୍ୟ ବିଦେଶୀ ପାଣ୍ଠିର ୨୦% ଭିତରେ ସୀମିତ ରଖିବାକୁ ପଡ଼ିବ। ବିଦେଶୀ ସଂସ୍ଥା ଓ ସରକାରଠାରୁ ଅନୁଦାନ ଲାଭ କରି ଭାରତରେ ଦେଶବିରୋଧୀ କାର୍ଯ୍ୟରେ ନିୟୋଜିତ ଏନ୍ଜିଓଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଫ୍ସିଆର୍ଏ ନିୟମରେ ଏପରି ସଂଶୋଧନ ଅଣାଯାଇଥିବା କୁହାଯାଉଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
Comments are closed.