Latest Odisha News

BREAKING NEWS

ବାଲି ମାଫିଆଙ୍କ ବିରୋଧରେ ଏନଜିଟି ଛାଟ, ୩୦ କୋଟି ଗଣିବେ ଜୋରିମାନା

ଭୁବନେଶ୍ୱର: ବାଲି ମାଫିଆଙ୍କ ବିରୋଧରେ ଏନଜିଟି ଛାଟ । ମୟୂରଭଞ୍ଜ ଜିଲ୍ଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ହୋଇଥିଲା । ଏହି ମାମଲା ଏନଜିଟି ନିକଟରେ ପହଞ୍ଚାଇଥିଲେ ରାଧାମୋହନ ସିଂହ। ପରେ ମାମଲାର ବିଚାର କରି ବାଲି ଉତ୍ତୋଳନ ପାଇଁ ଲିଜ ନେଇଥିବା ବ୍ୟକ୍ତିଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି । ପ୍ରାୟ ୩୦ କୋଟି ଟଙ୍କାର ଜୋରିମାନା ଲଗାଇଥିବା ସୂଚନା ରହିଛି। ଧାର୍ଯ୍ୟ ପରିମାଣରୁ ବହୁ ଅଧିକ ବାଲି ବେଆଇନ୍ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା।

ରାଧାମୋହନ ସିଂହ ଏହି ମାମଲାରେ ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ । ବୁଢାବଳଙ୍ଗ ନଦୀରେ ବାଲି ଉତ୍ତୋଳନ ପାଇଁ ପ୍ରଦୀପ କୁମାର ବିନ୍ଧାଣୀ ଓ କୃପାସିନ୍ଧୁ ସିଂହଙ୍କୁ ଲିଜ୍ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଡିଙ୍ଗିରିଆ, ଅରପତା ଓ ମହୁପୁରା ଗ୍ରାମର ବୁଢ଼ାବଳଙ୍ଗରେ ବାଲି ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ (ଇସି) ଓ କନ୍ସେଣ୍ଟ ଟୁ ଅପରେଟ୍ (ସିଟିଓ) ପ୍ରଦାନ କରାଯାଇଥିଲା। କିନ୍ତୁ ବିନ୍ଧାଣୀ ଦୁଇଟି ସ୍ଥାନରେ ଅତିରିକ୍ତ ବାଲି ଖନନ କରୁଥିଲେ ଏବଂ କୃପାସିନ୍ଧୁ ସିଂ ଗୋଟିଏ ସ୍ଥାନରେ ଉଲ୍ଲଙ୍ଘନ କରିଥିଲେ।

ଜିଲ୍ଲାର ବଡସାହି ତହସିଲ ଅନ୍ତର୍ଗତ ଡିଙ୍ଗିରିଆ ଠାରେ ୧୬.୧୨ ଏକର ଜମିରେ ଦୈନିକ ୯ ଘନମିଟର ବାଲି ଉତ୍ତୋଳନ ପାଇଁ ବିନ୍ଧାଣୀଙ୍କୁ ଇସି ଓ ସିଟିଓ ପ୍ରଦାନ କରାଯାଇଥିବା ବେଳେ ବର୍ଷକୁ ୨ ହଜାର ଘନମିଟର ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଛି। କିନ୍ତୁ ସେ ଦିନକୁ ୨୨୯୫ ଘନମିଟର ବାଲି ଉତ୍ତୋଳନ କରୁଥିବା ବେଳେ ବର୍ଷକୁ ୪.୮୧୯ ଲକ୍ଷ ଘନମିଟର ବାଲି ଉତ୍ତୋଳନ କରୁଥିବା ଜଣାପଡିଥିଲା। ଯାହାକି ଧାର୍ଯ୍ୟ ସୀମାର ୨୪୦ ଗୁଣ ଅଧିକ ଥିଲା। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ପ୍ରାୟ ୪୩ କୋଟି ୬୮ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଥିଲା।

ସେହିପରି ଅରପତା ଗାଁରେ ପ୍ରଦୀପ କୁମାର ବିନ୍ଧାଣୀ ବାଲି ଉତ୍ତୋଳନ ପାଇଁ ପାଇଥିବା ଆବେଦନରୁ ଅଧିକ ୨୪୦ ଗୁଣ ବାଲି ଉଠାଇଥିବା ଅଭିଯୋଗ ହୋଇଥିଲା। ତେଣୁ ଏନଜିଟି ୪ କୋଟି ୯୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ବିନ୍ଧାଣୀ ।

ସେହିପରି କୃପାସିନ୍ଧୁ ସିଂ ମହୁପୁରା ଗ୍ରାମରେ ବାର୍ଷିକ ୨ ହଜାର ୨ ଶହ କ୍ୟୁବିକ୍ ମିଟର ବାଲି ଉତ୍ତୋଳନ ପାଇଁ ସୀମା ଧାର୍ଯ୍ୟ ହୋଇଥିଲା । ହେଲେ ସେ ପ୍ରତିଦିନ ପ୍ରାୟ ୨ ହଜାର ୪୦ କ୍ୟୁବିକ୍ ମିଟର ଓ ବାର୍ଷିକ ୪ଲକ୍ଷ ୨୮ହଜାର କ୍ୟୁବିକ୍ ମିଟର ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଛି। ଏନଜିଟି ତାଙ୍କ ଉପରେ ୧୨.୫୬ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି।

ଏହା ବ୍ୟତୀତ ଅତିରିକ୍ତ ବାଲି ଖନନ ପାଇଁ ରୟାଲଟି ବାବଦରେ ୭.୧୨ କୋଟି ଟଙ୍କା ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ଦୁଇ ଲିଜଧାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରାଧାମୋହନ ସିଂହଙ୍କ ପକ୍ଷରୁ ଶଙ୍କର ପାଣି ଓକିଲ ଭାବେ କାମ କରୁଥିଲେ।

Leave A Reply

Your email address will not be published.