Latest Odisha News

BREAKING NEWS

ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଏନଜିଟି, ଯଥା ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସରକାରଙ୍କ ପିଛା ଛାଡୁନି ଜମି ବିବାଦ । ରାଜଧାନୀ ଭୁବନେଶ୍ବର ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ଏକାମ୍ର କାନନ ଜମିର ଯଥା ସ୍ଥିତି ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ବ୍ୟବସାୟ ଉଦ୍ଦେଶ୍ୟରେ ଏହି ଜମିରେ ଏକ ସୁଉଚ୍ଚ ଅଟ୍ଟାଳିକା ଅଟ୍ଟାଳିକା ନିର୍ମାଣ ହେଉଥିବାରୁ ଏଥିରେ ହସ୍ତକ୍ଷେପ କରିଛନ୍ତି ଏନଜିଟି ।

ସୁଶାନ୍ତ କୁମାର ଜେନାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରି ଜଷ୍ଟିସ ବି. ଅମିତ ଓ ଶାଇବଳ ଦାସଗୁପ୍ତାଙ୍କ ଦ୍ବାରା ଗଠିତ ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତରୀଣ ଆଦେଶରେ ଇଣ୍ଟିଗ୍ରେଟେଡ୍ ଆଞ୍ଚଳିକ କାର୍ଯ୍ୟାଳୟ, ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ନେଇ ଚାରି ଜଣିଆ କମିଟି ଗଠନ କରିବାକୁ ସରକାରଙ୍କୁ କୁହାଯାଇଛି । ଏଥିସହ ସଂପୃକ୍ତ ଅଞ୍ଚଳର ସବ-ଡିଭିଜନାଲ ଅଫିସର, ଡିଭିଜନାଲ ଫରେଷ୍ଟ ଅଫିସର, ଚନ୍ଦକା ବନ୍ୟପ୍ରାଣୀ ଖଣ୍ଡ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ଏହି ଅଞ୍ଚଳର ସର୍ଭେ କରିବାକୁ କୁହାଯାଇଛି ।

ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ଜମି ରେକର୍ଡ ଅନୁସାରେ, ଏହି ଅଞ୍ଚଳର କିଛି ଅଂଶ ଜଙ୍ଗଲ କିସମ ବା ରାଜସ୍ବ ଜଙ୍ଗଲ ଭାବେ ଚିହ୍ନଟ କରାଯାଇଛି କି ? ଏହି ଅଞ୍ଚଳଟି ଗୁରୁତ୍ୱପୂର୍ଣ୍ଣ ଫଳ ପ୍ରଦାନକାରୀ ଗଛ ଏବଂ ଅନ୍ୟାନ୍ୟ ପ୍ରଜାତିର ଜୈବିକ ଉପାଦାନରେ ଆଚ୍ଛାଦିତ ହୋଇଛି କି ? ଆବେଦନ ଅନୁସାରେ, ଏକାମ୍ର କାନନର ୨୦ ଏକର ଜମିକୁ ପ୍ରକଳ୍ପ ପାଇଁ ଦେବାକୁ ଉଦ୍ୟାନ କୃଷି ବିଭାଗକୁ କହିଥିଲେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସପୃକ୍ତ ଜମିକୁ ହସ୍ତାନ୍ତର କରିବା ପାଇଁ ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ । ବଟାନିକାଲ୍ ଗାର୍ଡେନ ଏବଂ ଫାର୍ମ ୫୦୦ ଏକରରୁ ଅଧିକ ବ୍ୟାପିଛି । ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ଏକ ସରକାରୀ ସଂଗଠନ ଆଞ୍ଚଳିକ ଉଦ୍ଭିଦ ଅନୁସନ୍ଧାନ କେନ୍ଦ୍ରର ଅଂଶ ରହିଛି ।

ଆବେଦନକାରୀ ଯୁକ୍ତି ବାଢିଛନ୍ତି ଯେ, ଜଙ୍ଗଲ ସଂରକ୍ଷଣ ଆଇନ, ୧୯୮୦କୁ ଉଲ୍ଲଂଘନ କରୁଥିବାରୁ ଏହା ସମ୍ପୂର୍ଣ୍ଣ ବେଆଇନ । ଯାହାକି ଔଷଧୀୟ ବୃକ୍ଷକୁ ନଷ୍ଟ କରିଦେବ । ସେହିପରି ପରିବେଶ, ତାପମାତ୍ରା ଓ ପ୍ରଦୂଷଣ ବୃଦ୍ଧି ଦୃଷ୍ଟିରୁ ସହର ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏହାସହ ଚିହ୍ନଟ ହୋଇଥିବା ଏହି ଜମି ଚନ୍ଦକା ଅଭୟାରଣ୍ୟ ଓ ହାତୀ ସଂରକ୍ଷଣ ସୀମାଠାରୁ ୫୦୦ ମିଟରରୁ କମ ବୋଲି ନିଜ ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ ।

Leave A Reply

Your email address will not be published.