Latest Odisha News

ଖୋଲିବ ଡଙ୍କାରୀ ଗୁମର, ଏନଜିଟି ମାଗିଲେ ରିପୋର୍ଟ

ଭୁବନେଶ୍ବର: ଖୋଲିବ ଡଙ୍କାରୀ ବେଆଇନ ଖାଦାନ ଗୁମର ! ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ପାହାଡ଼ ଧସି ୩ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ୪ସପ୍ତାହରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ଖଣି ଖନନ ଦ୍ବାରା ଶ୍ରମିକ ମୃତ୍ୟୁ ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟା ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ ମାସରେ ଶ୍ରମିକ ମୃତ୍ୟୁ ଘଟଣା ନେଇ ଏନଜିଟିର ଦ୍ବାରସ୍ଥ ହୋଇଥିଲେ ସ୍ବେଚ୍ଚାସେବୀ ସଂଗଠନ । ଏହାପରେ ଡଙ୍କାରୀ ରିପୋର୍ଟ ମାଗିଛନ୍ତି ଏନଜିଟି ।

ନୟାନ୍ତ କଲାଣି ଡଙ୍କାରୀ !

ଗତ ମେ ମାସ ୧୫ତାରିଖରେ ଡଙ୍କାରୀ ପାହାଡ଼ ଧସି ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଡଙ୍କାରୀ ପାହାଡ଼ର ୪ଏକର ଜମିରେ କଳାପଥର ଉତ୍ତୋଳନ ପାଇଁ ଲିଜଧାରୀ ନାରାୟଣ ରାଉତଙ୍କୁ ଅନୁମତି ମିଳିଥିଲା। ତେବେ ଲିଜଧାରୀ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିବା ଅଭିଯୋଗ ହୋଇଛି । ଏହାସହ ବ୍ଲାଷ୍ଟିଂ, ଓଭରଲୋଡ୍ ଗାଡି ପରିବହନ ଯୋଗୁଁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ବାୟୁ ପ୍ରଦୂଷଣ ବଢୁଛି । ଖାଦାନ ପାଖରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ମଧ୍ୟ ଏଥିପାଇଁ କ୍ଷତିଗ୍ରସ୍ତ ହୋଇଛି ।

ସବୁ ଜାଣି କାହିଁକି ଚୁପ୍?

ଡଙ୍କାରୀ ପାହାଡ଼ କଳାପଥର ଖାଦାନରେ ମାଇନିଂ ପ୍ଲାନ୍ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ଏସପିସିବିର ନିବନ୍ଧନ ପାଳନ ହୋଇନାହିଁ । ଏପରିକି ଡାଇରେକ୍ଟର ଜେନେରାଲ ଅଫ୍ ମାଇନ୍ସ ସେଫଟି ବା ଡିଜିଏମଏସର ଗାଇଡଲାଇନ୍ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । କଳାପଥର ପରିବହନ ଯୋଗୁଁ ରାସ୍ତା କ୍ଷତିଗ୍ରସ୍ତ ହେଉଥିଲେ ବି ପୂର୍ତ୍ତ ବିଭାଗ ଚୁପ୍ ରହିଛି। ଅନୁମତିଠାରୁ ଅଧିକ କଳାପଥର ଉତ୍ତୋଳନ କରାଯାଉଛି । ଉତ୍ତୋଳନ ବେଳେ ଅଘଟଣ ଘଟି ବର୍ଷକୁ ୫ରୁ ୧୦ଜଣ ଶ୍ରମିକଙ୍କ ଜୀବନ ଯାଉଛି । ପ୍ରଶାସନିକ ଅଧିକାରୀ ଠିକ୍ ଭାବେ ପଦକ୍ଷେପ ନେଉନଥିବାରୁ ବର୍ଷକୁ ବର୍ଷ ଦୁର୍ଘଟଣା ବଢିବାରେ ଲାଗିଛି ।

ରିପୋର୍ଟ ମାଗିଲେ ଏନଜିଟି

ଡଙ୍କାରୀ ପାହାଡରେ ଗତ ମେ ମାସରେ ହୋଇଥିବା ଅଘଟଣରେ ଯାଇଥିଲା ୩ଜୀବନ । ଏହାକୁ ନେଇ ୟୁଥ ୟୁନାଇଟେଡ୍ ଫର ସଷ୍ଟେନେବୁଲ ଏନଭିରନମେଣ୍ଟ ଟ୍ରଷ୍ଟ ପକ୍ଷରୁ ଏନଜିଟିରେ ମାମଲା ରୁଜୁ କରାଯାଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ସହ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲଦାର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ଅନ୍ୟମାନଙ୍କୁ ୪ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୭ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ବିଭିନ୍ନ କଳାପଥର ଖାଦାନ ଓ କ୍ରସରରେ ୪୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୨୦୧୭ରେ ୧୦ଜଣ, ୨୦୧୮ରେ ୧୪ଜଣ ଓ ୨୦୨୩ରୁ ୨୦୨୪ ମଧ୍ୟରେ ୨୦ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଖଣି ମାଫିଆଙ୍କ ବିରୋଧରେ ନିର୍ବାଚନ ବେଳେ ହିଁ ଯୁଦ୍ଧଂ ଦେହୀ ଡାକରା ଦେଇଥିଲା ବିଜେପି । ଏବେ କ୍ଷମତାକୁ ଆସିବା ପରେ ବେଆଇନ୍ ଖଣି ଉତ୍ତୋଳନ ଓ ଖଣି ମାଫିଆଙ୍କ ବିରୋଧରେ ବିଜେପି ସରକାର କି ପଦକ୍ଷେପ ନେବେ, ତାଉପରେ ନଜର ରହିଛି ।

Comments are closed.