Latest Odisha News

BREAKING NEWS

ଏନଏଚଏଆଇ ପାଇଁ ଆର୍ଥିକ କ୍ଷତି ସହୁଛି ଓଡିଶା

ଭୁବନେଶ୍ବର: ବର୍ଷ ବର୍ଷ ଧରି ଅଧାରେ ପଡିରହୁଛି ରାଜପଥ ନିର୍ମାଣ କାମ। ଏନଏଚଏଆଇ ବିଳମ୍ବ ପାଇଁ ବ୍ୟାପକ ଆର୍ଥିକ କ୍ଷତି ସହୁଛି ଓଡିଶା । ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି ତ ଏନଏଚ୍-୫୫ର ଚାରିଲେନ୍ ସଂପ୍ରସାରଣ କାମ ଦୀର୍ଘ ବର୍ଷ ଧରି ପଡିରହିଛି। ଅନୁଗୁଳ ଦେଇ କଟକରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି ରାଜପଥର ଭୂମିକା ସେହି ଅଞ୍ଚଳର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ରହିଛି । ହେଲେ ଡେଡଲାଇନ୍ ଘୁଞ୍ଚି ଘୁଞ୍ଚି ଚାଲିଛି, କାମ ଶେଷ ହୋଇପାରୁନି । ଲୋକେ ଯାତାୟତ ପାଇଁ ସମସ୍ୟା ଭୋଗିବା ସହ ଏହି ରାସ୍ତାରେ ଦୁର୍ଘଟଣା ବଢିଛି । ସେପଟେ ଆର୍ଥିକ ବିକାଶ ବି ଅପେକ୍ଷାରେ ରହିଛି ।

ଅନିଶ୍ଚିତତା ଘେରରେ ଉପକୂଳ ରାଜପଥ

ଭାରତମାଳା ଯୋଜନା ଅଧୀନରେ ରାଜ୍ୟରେ ଉପକୂଳ ରାଜପଥ ନିର୍ମାଣ ହେବାର ଯୋଜନା ରହିଛି । ହେଲେ ବର୍ଷ ବର୍ଷ ଏଥିରେ ବିଳମ୍ବ କରିବା ପରେ ଗତ ସପ୍ତାହରେ ଟେଣ୍ଡର ବାତିଲ କରିଛି ଏନଏଚଏଆଇ । ଗତ ଜାନୁଆରୀ ମାସରେ ୭ହଜାର ୪୦କୋଟି ଖର୍ଚ୍ଚରେ ଚାରି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ୩୪୬କିଲୋମିଟର ଚାରିଲେନ୍ ବିଶିଷ୍ଟ ରାସ୍ତା ପାଇଁ ବିଡ ଆବେଦନ କରାଯାଇଥିଲା । ତେବେ ଏହାର ୪ମାସ ପରେ ଟେଣ୍ଡର ବାତିଲ କରାଯାଇଛି । ଏବେ ଚାରି ଲେନ୍ ବିଶିଷ୍ଟ ଉପକୂଳ ରାଜପଥକୁ ୨ଲେନ୍ ବିଶିଷ୍ଟ କରିବାକୁ ବିଚାର କରୁଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।

କାହିଁକି ଏତେ ବିଳମ୍ବ ?

୪୫୧କିଲୋମିଟର ବିଶିଷ୍ଟ ଉପକୂଳ ରାଜପଥକୁ ୨୦୧୮ରେ ଅନୁମୋଦନ କରାଯିବା ସହ ରାଜ୍ୟ ସରକାରଙ୍କ ମଂଜୁରୀ ପାଇଁ ପଠାଯାଇଥିଲା। ସେତେବେଳେ ରାଜ୍ୟ ସରକାର ଚିଲିକା ଲାଗୁନକୁ ଏଥିରୁ ବାଦ୍ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହାର ପରବର୍ଷ ଆଉ କିଛି ସଂରକ୍ଷିତ ଅଞ୍ଚଳକୁ ବାଦ ଦିଆଯିବା ସହ ପ୍ରକଳ୍ପକୁ କମାଇ ୩୭୭କିଲୋମିଟର କରାଗଲା । ତେବେ ପରେ ସ୍ଥାନୀୟ ଲୋକଙ୍କ ବିରୋଧ ଓ ଅନ୍ୟ ସମସ୍ୟା ପାଇଁ ପୁଣି ଏଥିରେ ପରିବର୍ତ୍ତନ କରାଗଲା । ଶେଷରେ ୩୪୬କିଲୋମିଟର ପ୍ରକଳ୍ପ ଚୂଡାନ୍ତ କରାଗଲା । ୟା ଭିତରେ ତିନି ତିନି ଥର ଡିପିଆର ବଦଳିଛି, ଟେଣ୍ଡର ବାତିଲ୍ ହୋଇଛି । ଚଞ୍ଚକତା କରି ୪ଲେନରୁ ୨ଲେନ୍ ବିଶିଷ୍ଟ ଉପକୂଳ ରାଜପଥ କରିବା ନେଇ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି ।

ଅଟକିଛି ୫୫ନମ୍ବର ଜାତୀୟ ରାଜପଥ

କେବଳ ଉପକୂଳ ରାଜପଥ ନୁହେଁ ରାଜ୍ୟର ଅନେକ ପ୍ରକଳ୍ପ ବିଳମ୍ବ ନେଇ ବି ବିବାଦରେ ରହିଛି ଏନଏଚଏଆଇ । କଟକରୁ ସମ୍ବଲପୁର ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମ ଶେଷ ହେବାର ଡେଡଲାଇନ୍ ଘୁଞ୍ଚି ଘୁଞ୍ଚି ଚାଲିଛି । ଫଳରେ ସେହି ଅଞ୍ଚଳରେ ଆର୍ଥିକ ବିକାଶ ପ୍ରଭାବିତ ହୋଇଛି । ବିଭିନ୍ନ କାରଣ ପାଇଁ ୨୬୩ କିଲୋମିଟରର ଏହି ରାଜପଥ କାମ ବିଳମ୍ବ ହେଉଛି । ମୁଖ୍ୟ ଠିକାଦାର ଦେବାଳିଆ ହେବାଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପାଇଁ ଅଣ୍ଡରପାସ୍ ପ୍ଲାନ୍ ନକରିବା ପର୍ଯ୍ୟନ୍ତ ବିଳମ୍ବର କାରଣ ପାଲଟିଛି । ଗତବର୍ଷ ଏକ ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ  ଚାଲିଥିବା ୨୦ଟି ପ୍ରକଳ୍ପ ମଧ୍ୟରୁ ୧୩ଟି ବିଳମ୍ବରେ ଚାଲିଛି । ୭୭୬କିଲୋମିଟର ପ୍ରକଳ୍ପ ମଧ୍ୟରୁ ୩୬୪ କିଲୋମିଟର ପ୍ରକଳ୍ପ କାମ ତିନି ବର୍ଷରୁ ଅଧିକ ସମୟ ବିଳମ୍ବରେ ଚାଲିଛି । ଏନଏଚଏଆଇ ନିମ୍ନ ମାନର କାମ ସହ ଖାମଖିଆଲ ମନୋବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାକୁ ଆସିଛି ।

ଅର୍ଥନୈତିକ କରିଡର ନିର୍ମାଣରେ ବିଳମ୍ବ ଯୋଗୁଁ ବ୍ୟାପକ କ୍ଷତି ସହୁଛି ଓଡିଶା । ବିକାଶର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ଡବଲ୍ ଇଞ୍ଜିନ ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି କ୍ଷମତାରେ ରହିଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ଆଗରେ ରାଜ୍ୟରେ ଏନଏଚଏଆଇ ବିଳମ୍ବ ପ୍ରସଙ୍ଗ ଉଠାଇବା ଜରୁରୀ । କାରଣ ପ୍ରକଳ୍ପ ବିଳମ୍ବ ଯୋଗୁଁ ରାଜ୍ୟ ଅର୍ଥନୈତିକ କ୍ଷତି ସହିବା ସହ ଦୁର୍ଘଟଣା ଜୀବନ ନେଉଛି ।

Comments are closed.