Latest Odisha News

BREAKING NEWS

ବାଂଲାଦେଶୀ ନାବାଳିକାଙ୍କୁ ଚାଲାଣ ଅଭିଯୋଗରେ ୧୦ ଜଣଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶାରେ ଜଣେ ବାଂଲାଦେଶୀ ନାବାଳିକାଙ୍କୁ ଚାଲାଣ କରିବା ଘଟଣାର ତଦନ୍ତ କରି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ୧୦ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି।

ଗତ ବର୍ଷ ନଭେମ୍ବର ୯ ରାତିରେ କଟକର ଲିଙ୍କ ରୋଡ୍ ଅଞ୍ଚଳରେ ବୁଲୁଥିବା ୧୭ ବର୍ଷୀୟା ଯୁବତୀଙ୍କୁ ମଧୁପାଟଣା ପୋଲିସ ଉଦ୍ଧାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ତାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)କୁ ହସ୍ତାନ୍ତର କରାଯାଇଥିଲା।

ଚାକିରିର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅନୈତିକ ଭାବରେ ଚାଲାଣ କରାଯାଇଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତେବେ ଏହି ମାନବ ଚାଲାଣ ନେଟୱାର୍କର ପର୍ଦ୍ଦାଫାସ ହେବାପରେ ତଦନ୍ତ ଜୋର୍ ଧରିଥିଲା।ଅଭିଯୁକ୍ତମାନେ ଯୁବତୀଙ୍କ ପରିବାରର ଆର୍ଥିକ ପରିସ୍ଥିତି ର ସୁଯୋଗ ନେଇ ଏପରି ଯୋଜନା କରିଥିବା ଜଣାପଡ଼ିଥିଲା।

ପ୍ରାରମ୍ଭରେ ଓଡ଼ିଶା ପୋଲିସ ପୋସ୍କୋ କୋର୍ଟରେ ଏହି ମାମଲାରେ ଦୁଇ ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇଟି ଚାର୍ଜସିଟ୍ ଦାଖଲ କରିଥିଲା। ପରେ NIA ଚଳିତ ବର୍ଷ ଏହାର ତଦନ୍ତ ଦାୟିତ୍ୱ ନେବା ପରେ ସେପ୍ଟେମ୍ବରରେ ପଶ୍ଚିମବଙ୍ଗର କୋଲକାତା ଏବଂ ବନଗାଓଁରେ ପାଞ୍ଚଟି ସ୍ଥାନରେ ଚଢ଼ଉ କରାଯାଇ ନାବାଳିକା ବାଂଲାଦେଶୀଙ୍କ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା।

ଏହାବ୍ୟତୀତ ସେମାନଙ୍କ ଠାରୁ ଅନେକ ଅପରାଧିକ କାଗଜପତ୍ର ସମେତ ବିପୁଳ ପରିମାଣର ଭାରତୀୟ, ବାଂଲାଦେଶୀ ଏବଂ ଅନ୍ୟାନ୍ୟ ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା। ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଓ ଆର୍ଥିକ କାରବାର ଯାଞ୍ଚ କରିବା ପରେ ସେମାନଙ୍କର ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଥିଲା।

Comments are closed.