Latest Odisha News

BREAKING NEWS

ବାଂଲାଦେଶୀ ଆତଙ୍କବାଦୀକୁ ୭ବର୍ଷ କାରାଦଣ୍ଡ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ର ସ୍ୱତନ୍ତ୍ର କୋର୍ଟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶୀ ନାଗରିକ ଜାହିଦୁଲ ଇସଲାମ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ ଭାରତ (ଜେଏମବି-ଇଣ୍ଡିଆ) ଙ୍କ ନିର୍ଦ୍ଦେଶରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ଗତକାଲି ଏନଆଇଏ ଏକ ବିବୃତ୍ତି ଜାରି କରି କହିଛି ଯେ, ଡକାୟତି, ଷଡଯନ୍ତ୍ର ଏବଂ ଟଙ୍କା ଚୋରା ଚାଲାଣ ତଥା ଗୁଳି ବିନିମୟ ମାମଲାରେ ଜଡିତ ଥିବାରୁ ଜାହିଦୁଲ ଇସଲାମ ଓରଫ୍ କୌସର ଉପରେ ୫୭,୦୦୦ ଟଙ୍କା ଜୋରିମାନା ଲଗାଯାଇଛି । ଏଥିସହ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି । କୌସର ସହ ସମୁଦାୟ ୧୧ ଜଣ ଅଭିଯୁକ୍ତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅକ୍ଟୋବର ୨୦୧୪ରେ ବର୍ଦ୍ଧବାନରେ ହୋଇଥିବା ବିସ୍ଫୋରଣ ମାମଲାରେ ସେ ଏବଂ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଥିବା ଏନଆଇଏ କହିଛି।

ଏନଆଇଏ ଅନୁସନ୍ଧାନ ଅନୁଯାୟୀ, ଜାହିଦୁଲ ଇସଲାମ ଏବଂ ସଲାଉଦ୍ଦିନ ସାଲେହିନ ବାଂଲାଦେଶ ପୋଲିସର ହେପାଜତରୁ ଖସିଯିବା ପରେ ୨୦୧୪ରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ଏହି ସମୟ ମଧ୍ୟରେ, ସେ ଏବଂ ତାଙ୍କ ସହଯୋଗୀମାନେ ଅକ୍ଟୋବର ୨୦୧୪ରେ ହୋଇଥିବା ବର୍ଦ୍ଧବାନ ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲେ। ଏହି ବିସ୍ଫୋରଣ ପରେ ଜାହିଦୁଲ ଏବଂ ତାଙ୍କ ସହଯୋଗୀମାନେ ବେଙ୍ଗାଲୁରୁକୁ ପଳାୟନ କରିଥିଲେ । ସେଠାରେ ସେମାନେ ପଶ୍ଚିମବଙ୍ଗ ଏବଂ ଆସାମର ନିରୀହ ମୁସଲମାନ ଯୁବକମାନଙ୍କୁ ଜେଏମବିରେ ମିଶି ଭାରତ ବିରୋଧୀ କାର୍ଯ୍ୟକଳାପକୁ ବଢାଇବାକୁ ପ୍ରତ୍ସାହିତ କରୁଥିଲେ ।

ଏନଆଇଏ ତଦନ୍ତରେ ଜାଣିବାକୁ ପାଇଛି ଯେ, ଜାନୁୟାରୀ ୨୦୧୮ରେ ବୋଧଗୟା ବିସ୍ଫୋରଣ ପଛରେ ମଧ୍ୟ ଜାହିଦୁଲ ଇସଲାମ ଏବଂ ତାଙ୍କ ସହଯୋଗୀମାନଙ୍କର ହାତ ଅଛି। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଜାହିଦୁଲ ଜେଏମବିର ଆତଙ୍କବାଦୀ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ପାଇଁ ଡକାୟତି ମାଧ୍ୟମରେ ଟଙ୍କା ଜମା କରିବାକୁ ଷଡଯନ୍ତ୍ର କରିଥିଲା। ୨୦୧୮ରେ ସେ ବେଙ୍ଗାଲୁରୁରେ ଚାରିଟି ଡକାୟତି ମଧ୍ୟ କରିଥିଲା। ଲୁଟ୍ କରିଥିବା ଅର୍ଥକୁ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିଲେ।

Comments are closed.