ଯେତେବେଳେ ଦୀର୍ଘ ବର୍ଷର ଦାବି, ଆନ୍ଦୋଳନ, ବାକ୍ବିତଣ୍ଡା, ଅନଶନ, କଳାପତାକା ଅଭିଯାନ ଓ ପ୍ରତୀକ୍ଷା ପରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓଡ଼ିଆ ଭାଷାର ସରକାରୀ-ବ୍ୟବହାର ଆଇନ୍ ଉପରେ ମୋହର ମାରୁଛନ୍ତି, ଠିକ୍ ସେତିକିବେଳେ ଓଡ଼ିଆ ଭାଷା-ସାହିତ୍ୟର ଆଦି-ବେଦ ଭାବେ ପରିଚିତ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡ଼ାହେଉଥିବାର ଛବି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଏହାକୁ ନେଇ ସମଗ୍ର ଓଡ଼ିଶାର ବୁଦ୍ଧିଜୀବୀ ମହଲ ତାତିଉଠିଥିବାବେଳେ ଏଭଳି ଅପକର୍ମକୁ ସୋସିଆଲ ମିଡ଼ିଆରେ ଘୋର୍ ନିନ୍ଦା କରାଯାଇଛି ।
ସୂଚନାଯୋଗ୍ୟ ଯେ ‘କୋସଲିସାହିତ୍ୟ ଡଟ୍ ଇନ୍’ ନାମକ ଏକ ଫେସବୁକ୍ ପେଜ୍ ରେ ଆଜି ଏହି ଲଜ୍ଜାଜନକ ପୋଷ୍ଟ କରାଯାଇଛି, ଯେଉଁଥିରେ ‘କୋସଲରେ କୋସଲି ଚଲ୍ବା, ଉଡ଼ିଆ ନାଇଁ’ ଶୀର୍ଷକରେ ଏକ ୟୁଟ୍ୟୁବ ଭିଡ଼ିଓ ଲିଙ୍କ୍ ଦିଆଯାଇଛି । ଯେଉଁ ଭିଡ଼ିଓରେ ଏକାଧିକ ‘ମଧୁ ବର୍ଣ୍ଣବୋଧ’ ପୁସ୍ତକକୁ ଜଳାଯିବାର ଦୃଶ୍ୟ ରହିଛି । ୩୭ ସେକେଣ୍ଡର ଏହି ଭିଡ଼ିଓଟି ଯଦିଓ ୨୬ ଅଗଷ୍ଟ ୨୦୧୮ରେ ୟୁଟ୍ୟୁବରେ ପୋଷ୍ଟ ହେଇଥିଲା, ସେଇ ଲିଙ୍କ୍ଟି ଆଜି ଫେସବୁକରେ ପୋଷ୍ଟ ହେଲା ପରେ ସମସ୍ତଙ୍କ ନଜରକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଫେସବୁକ୍ ପେଜ୍ର ପ୍ରୋଫାଇଲ୍ ପିକ୍ଚରରେ ରହିଛି ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ଲୋକକବି ହଳଧର ନାଗଙ୍କ ଫଟୋ ।
ଏଠାରେ ସ୍ମରଣଯୋଗ୍ୟ ଯେ ଓଡ଼ିଶା ସରକାର କିଛି ମାସ ତଳେ ‘ସମ୍ବଲପୁରୀ-କୋଶଲୀ’ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବାକୁ ସୁପାରିଶ କରିସାରିଛନ୍ତି । ଏହା ସତ୍ୱେ ଓଡ଼ିଆ ଭାଷା ପ୍ରତି କତିପୟ ବ୍ୟକ୍ତିଙ୍କର ଏପରି ହୀନମନ୍ୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ମର୍ମାହତ କରିଛି । ବିଶେଷକରି ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ଲେଖକଲେଖିକା ନିଜନିଜ ପୋଷ୍ଟ ଓ କମେଣ୍ଟରେ ଏହି ହୀନଉଦ୍ୟମ ବିରୋଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିବା ସହ ଓଡ଼ିଶାର ଜାତୀୟ ଅସ୍ମିତାର ପ୍ରତୀକ ମଧୁ ବର୍ଣ୍ଣବୋଧକୁ ପୋଡ଼ିବା ପଛରେ ଥିବା ବ୍ୟକ୍ତିଙ୍କ ପ୍ରତି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
Comments are closed.