ଅବୁଜା: ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ବେପରୁଆ ଗାଡି ଚାଳନା ଯୋଗୁଁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଅନେକ ଗୁରୁତର ଆହତ ହୋଇଛନ୍ତି । କାନୋର ଗେଜାୱା ସ୍ଥାନୀୟ ସରକାରୀ କ୍ଷେତ୍ରର କ୍ୱାନାର ବାର୍ଡେ ସହରରେ ଏହି ଦୁର୍ଘଟଣା ଘଟିଛି ।
କାନୋ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଏକ ବିବୃତ୍ତି ଅନୁଯାୟୀ, ଟ୍ରକଟି କାନୋର ଗୁଜୁଙ୍ଗୁ ସହର ଅଭିମୁଖେ ଯାତ୍ରୀ ଏବଂ ସାମଗ୍ରୀ ନେଇ ଯାଉଥିଲା । ହାଇୱେରେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ଏବଂ ସରକାର ଏହି ଦୁର୍ଘଟଣାକୁ ବେପରୁଆ ଗାଡି ଚାଳନା ବୋଲି କହିଛନ୍ତି ।
କାନୋ ରାଜ୍ୟ ରାଜ୍ୟପାଳ ଅବା କବିର ୟୁସୁଫଙ୍କ ମୁଖପାତ୍ର ସୁନୁସି ବତୁରେ ଦାୱାକିନ ତୋଫା ଏକ ବିବୃତ୍ତିରେ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି । ବିବୃତ୍ତିରେ କୁହାଯାଇଛି ଯେ ମୃତ୍ୟୁ ସଂଖ୍ୟା ୩୦ ରୁ ଅଧିକ ରହିଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଏବଂ ସେମାନଙ୍କୁ କାନୋର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳ ଆହତଙ୍କ ପାଇଁ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି ।