Latest Odisha News

ରାଜ୍ୟରେ ଖସୁଛି ପାରଦ, ବଢ଼ୁଛି ଶୀତ; ଆସନ୍ତା ୧୫ ଯାଏଁ ରହିବ ଶୀତର ପ୍ରଭାବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଫଳରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଅନେକ ଦିନ ହେବ ଶୀତ ଋତୁ ଆରମ୍ଭ ହୋଇଥିବାବେଳେ, ଏଯାଏଁ ଟିକିଏ ହେଲେ ଶୀତ ଅନୁଭୂତ ହୋଇନଥିଲା । ହେଲେ ଗତ ଦୁଇ ରୁ ତିନି ଦିନ ହେବ ହଠାତ୍ ଶୀତ ଅନୁଭୂତ ହୋଇଥିବାବେଳେ ଅନେକ ସ୍ଥାନରେ କୁହୁଡି ମଧ୍ୟ ପଡୁଛି ଆଉ ଏହାର ମଜା ନେଉଛନ୍ତି ରାଜ୍ୟବାସୀ ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ଶୀତର ପ୍ରଭାବ ରହିବ । ତେବେ ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଆସନ୍ତା ୧୬ ତାରିଖରୁ ରାତି ର ତାପମାତ୍ରାରେ ପୁଣି ବୃଦ୍ଧି ଘଟିବାକୁ ଥିବାବେଳେ ଶୀତ କମିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

 

ତେବେ ଗତକାଲି (ସୋମବାର) କେନ୍ଦୁଝରରେ ସର୍ବନିମ୍ନ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ଫୁଲବାଣୀରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ, ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ତାପମାତ୍ରା ୧୫.୭ ଡିଗ୍ରୀ ଓ କଟକରେ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ୯.୪ ଡିଗ୍ରୀକୁ ପାରଦ ହ୍ରାସ ପାଇଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ତାପମାତ୍ରା ୯.୫ ଡିଗ୍ରୀ ଛୁଇଁଛି ।

Comments are closed.