Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଢିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବ । ଯାହାଫଳରେ ଓଡିଶାରେ ଶୀତ ଲହରୀ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସୂଚନା ମିଳିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୧-୨ ଡିଗ୍ରୀ ବୃଦ୍ଧି ପାଇଛି । ଏହାବ୍ୟତିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ପଶ୍ଚିମ ଓଡିଶାର କିଛି ସ୍ଥାନରେ ମଧ୍ୟମରୁ ଘନ କୁହୁଡି ଦେଖାଦେବ ବୋଲି ସେ କହିଛନ୍ତି ।

ଏହାବ୍ୟତିତ ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଆସନ୍ତା ଜାନୁଆରୀ ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିସହିତ ଜାନୁଆରୀ ୧୮ ତାରିଖ ବେଳକୁ ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଉଛି ।

ତେବେ ଆଇଏମଡିର ସକାଳ ବୁଲେଟିନ୍ ଅନୁଯାୟୀ ଦାରିଙ୍ଗବାଡି, ସୋନପୁର ଓ ଅନୁଗୁଳରେ ସବୁଠୁ କମ୍ ତାପମାତ୍ରା (୭ଂ) ରେକର୍ଡ କରାଯାଇଥିଲା । ଯେତେବେଳେକି ଟିଟିଲାଗଡ (୭.୬), ଭବାନୀପାଟଣା(୯), ତାଳଚେର(୯.୫), ସମ୍ବଲପୁର (୯.୮) ଓ କେନ୍ଦୁଝରରେ (୯.୪) ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା ।

ସେହିପରି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା । ସେଥିମଧ୍ୟରେ ବାଲେଶ୍ୱର (୧୧.୪), କଟକ (୧୧.୬), ବାରିପଦା (୧୧.୨), ଝାରସୁଗୁଡା (୧୦.୪), ସୁନ୍ଦରଗଡ (୧୦.୫), ହୀରାକୁଦ (୧୧.୩), ବଲାଙ୍ଗିର (୧୧), କୋରାପୁଟ (୧୦), ମାଲକାନାଗିରି (୧୦) ଓ ନୟାଗଡ (୧୨) ରହିଥିଲା ।

Leave A Reply

Your email address will not be published.