Latest Odisha News

BREAKING NEWS

ଆଡଭୋକେଟ୍ସ ବିଲ୍- ୨୦୨୫କୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ଆଇନଜୀବୀ ମାନଙ୍କ ପାଇଁ ପ୍ରଣୀତ ୧୯୬୧ ମସିହା ଆଇନରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ଯାହାକୁ ରାଜ୍ୟର ଆଇନଜୀବୀମାନଙ୍କ ସର୍ବୋଚ୍ଚ ଓ ସର୍ବପୁରାତନ ଅନୁଷ୍ଠାନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ନିନ୍ଦା କରିଛି।

ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଆଡଭୋକେଟ୍ସ ବିଲ୍-୨୦୨୫ ସଂପର୍କିତ ପରାମର୍ଶ ବୈଠକରେ ଶତାଧିକ ଆଇନଜୀବୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାର, ବାର୍ କାଉନସିଲ୍ ନିଜ ନିୟନ୍ତ୍ରଣକୁ ନେବା ସହିତ ଏଥିରେ ୩ ଜଣ କେନ୍ଦ୍ର ସରକାରଙ୍କ ମନୋନୀତ ପ୍ରତିନିଧି, ସଭ୍ୟ ରହିବା ପାଇଁ ନୂଆ ବିଲରେ ଆସିଥିବା ବ୍ୟବସ୍ଥାକୁ ସଂଘ ପ୍ରତ୍ୟାଖାନ କରିଛି।

ସେହିଭଳି ଆଇନଜୀବୀଙ୍କ ମୌଳିକ ଗଣତାନ୍ତ୍ରିକ ଅଧିକାର, ପ୍ରତିବାଦ ଓ ଧର୍ମଘଟ ପାଇଁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା, ଏପରିକି କୌଣସି ମହକିଲ ନିଜର ମକଦ୍ଦମାରେ କ୍ଷତି ପାଇଁ ଓକିଲଙ୍କ ଉଦ୍ଦେଶ୍ୟ ମୂଳକ ଅବହେଳା ପାଇଁ ପେଷାଗତ ଅବହେଳା ବୋଲି ବିବେଚନା କରିବାର ଏହି ନୂଆ ବିଲର ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଘର ନେତୃବର୍ଗ ଦାବି କରିଛନ୍ତି।

ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଆଇନଜୀବୀ ସୁଜିତ କୁମାର ମଧ୍ଯ ଯୋଗ ଦେଇଥିଲେ। ରାଜ୍ୟ ଆଇନ କମିଶନଙ୍କ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ଏହି ଆଇନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି, ପ୍ରସ୍ତାବିତ ବିଲରେ ଆଇନଜୀବୀ ମାନଙ୍କ ପ୍ରଶିକ୍ଷଣ କିମ୍ବା ଜନମଙ୍ଗଳକାରୀ ନିମନ୍ତେ କୌଣସି ଯୋଜନା ସ୍ଥାନ ପାଇ ନଥିବା ପ୍ରକାଶ କରିଥିଲେ। ରାଜ୍ୟର ସମସ୍ତ ଆଇନଜୀବୀମାନେ ଏହି ବିଲ୍ ଆଗତ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଦୁର୍ଭାଗ୍ୟ ଜନକ। କେନ୍ଦ୍ର ସରକାର, କୌଣସି ବାର୍ ଆସୋସିଏସନ୍ ସହ ଆଲୋଚନା ନକରି ଏଭଳି ବିଲ୍ ଆଣିବା ଅପରିଣାମ ଦର୍ଶିତାର ପରିଚୟ ବୋଲି କହିଛନ୍ତି।

ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସଂଘର ୧୦ ଜଣିଆ ପ୍ରତିନିଧି ଦଳ ଭେଟିବ। ଏହାସହ ରାଜ୍ୟର ସାଂସଦ ମାନଙ୍କୁ ଏ ସଂପର୍କରେ ସଚେତନ କରି ସଂସଦରେ ଏହି ବିଲରେ ଆବଶ୍ୟକୀୟ ସଂଶୋଧନ ଆଣି, ଆଇନଜୀବୀଙ୍କ ପେଷାଗତ ସ୍ୱାଧିନତା ଅକ୍ଷୁର୍ଣ୍ଣ ରଖିବା ଦିଗରେ ଉଦ୍ୟମ କରାଯିବ ବୋଲି କହିଛନ୍ତି।

ତେବେ ଏହି ବୈଠକରେ ରାଜ୍ୟ ବାର୍ କାଉନସିଲର ସଦସ୍ୟ ଆତ୍ମପ୍ରକାଶ ମହାନ୍ତି, ପିତା ରମେଶ ପାତ୍ର, ସଞ୍ଜିତ ପାଣିଗ୍ରାହୀ, ଉପାଧ୍ୟକ୍ଷ ରାଜୀବ ମହାନ୍ତି ଓ ଅନ୍ୟତମ ସଦସ୍ୟ ଦିନେଶ ରାୟ ଯୋଗ ଦେଇଥିଲେ। ସେହିଭଳି ସଂଘର ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି, ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ସାଧରଣ ସଂପାଦକ ସଂଜୀବ ମହାନ୍ତି, ଭୁବନେଶ୍ୱର ବାର ଆସୋସିଏସନ ସଭାପତି କୁନ୍ଦନ ରଥ, ଶିବାନନ୍ଦ ରାୟଙ୍କ ସମେତ ବହୁ ଆଇନଜୀବୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲା ବେଳେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବିଭୁପ୍ରସାଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ତରଞ୍ଜନ ବରିଷାଲ କାର୍ଯ୍ୟକ୍ରମ ସଂଯୋଜନା ଓ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିବା ଜଣାପଡିଛି।

Comments are closed.