ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ଶ୍ରୀମନ୍ଦିରକୁ ଫେରିବେ ତିନି ଦିଅଁ । ଭାଇଭଉଣୀ ସଙ୍ଗେ ରତ୍ନବେଦୀକୁ ବିଜେ କରିବେ କଳା ଠାକୁର । ଏହି ଅବସରରେ ରଥଯାତ୍ରାରେ ନେଇ ନଥିବା ଯୋଗୁଁ ଅଭିମାନ କରିଥିବା ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀ ଙ୍କୁ ମହାପ୍ରଭୁ ରସଗୋଲା ଓ ପାଟ ଶାଢ଼ୀ ଦେଇ ମାନ ଭଞ୍ଜନ କରିବେ । ଏହା ପରେ ଶେଷ ହେବ ମହାପ୍ରଭୁଙ୍କ ଘୋଷଯାତ୍ରାର ମାନବୀୟ ଲୀଳା ।
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ବର୍ଷ ସାରା ରତ୍ନ-ସିଂହାସନରେ ବସି ଦେଶଦୁନିଆର ଖବର ବୁଝୁଥିବା କାଳିଆ ସାଆନ୍ତ, ନଅ ଦିନ ପାଇଁ କ୍ଷେତ୍ର-ପରିଦର୍ଶନରେ ଯାଇଥିଲେ। ସବୁ ଲୀଳାଖେଳା ସାରି ଫେରବା ପରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ସମାପନ ହେବ। ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା ଶେଷ ପରେ ରତ୍ନ ସିଂହାସନକୁ ବାହୁଡ଼ିବେ ଶ୍ରୀଜୀଉ ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ ।
ଏନେଇ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ସବୁ କିଛି ଉପରେ କଡା ନଜର ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେବାୟତଙ୍କ ସହ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ନୀତି ନିଘଣ୍ଟ ଅନୁଯାୟୀ, ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ୧୦ଟା ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ପହଣ୍ଡି କରି ତିନି ଠାକୁର ମନ୍ଦିରକୁ ପ୍ରବେଶ କରିବେ ।
ଅନ୍ୟପଟେ ଅତି ସୁରୁଖୁରୁରେ ଗତକାଲି ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ସଂପର୍ଣ୍ଣ ହୋଇଛି । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥିଲା ।
Comments are closed.