ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ଜଣାଯାଏ । ଆଜି ଶ୍ରୀବିଗ୍ରହଙ୍କ ଜଳାଭିଷେକ ହେବ । ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳାଭିଷେକ କରାଯିବ । ବଡ଼ଦେଉଳ ପରମ୍ପରା ଅନୁସାରେ ଏହା ତ୍ରୟୋଦଶ ଯାତ୍ରା ହୋଇଥିବାରୁ ଏନେଇ ଆଜି ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଛି ।
ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ । କୁହାଯାଏ ଏହି ଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ । ବାମଦେବ ସଂହିତାରେ ଏହାର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।
ତେବେ ଜଳାଭିଷେକ ପାଇଁ ସପ୍ତମୀ ରାତିରୁ ୧୦୮ ଜଳକୁମ୍ଭ ଅଧିବାସ ହୋଇ ରହିଛି । ଅଷ୍ଟମୀରେ ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିବ। ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନସିଂହାସନ ନିକଟରେ ବିଜେ କରିବେ । ଏହାପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ । ଏହି ତିଥିରେ ଯଜ୍ଞମଣ୍ଡପରୁ ବିଜେ ହୋଇ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
Comments are closed.