ଆଜି ଦେଶର ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜର ଅଧିକାର ଲାଗି ରାଜରାସ୍ତାରେ ସଂଘର୍ଷ କରୁଛନ୍ତି, ସେତେବେଳେ ତିନି ବର୍ଷ ତଳେ ଓଡିଆ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର “କଡୱି ହାୱା” ସିନେମାର ଏକ ବିଶେଷ ପ୍ରାସଙ୍ଗିକତା ରହିଛି। ଏ ସିନେମାର ମୁଖ୍ୟ ନାୟକ ଜଣେ ଅନ୍ଧଚାଷୀ।
ସେ ଅନ୍ଧ ବୁଢାଲୋକଟିର ଆଖିରେ ଆପଣ ଏମିତି ଗୋଟେ ଅସହାୟତା ଦେଖିବେ, ଯେଉଁଠି ଶହ ଶହ ଚାଷୀଙ୍କ ଆତ୍ମହତ୍ୟା ପରର ଶବ ଝୁଲୁଛି ଯେମିତି। ଆଉ ସେ ଅନ୍ଧ ବୁଢାଲୋକଟି ଭାରତୀୟ ଚାଷୀମାନଙ୍କର ଗୋଟେ ମେଟାଫର ହୋଇ ଠିଆ ହେଉଛି। ମଧ୍ୟପ୍ରଦେଶର ଚମ୍ବଲ ଉପତ୍ୟକା ଓ ସେ ଉପତ୍ୟକାରେ ଶୁଖିଲା ବବୁଲଭର୍ତ୍ତି ଶୁଖିଲା ମାଟି। ସେଇଠି ଗୋଟେ ବୁଢା ଅନ୍ଧଚାଷୀର ସଂଘର୍ଷ। ଏ ସଂଘର୍ଷରେ କେବଳ ଗୋଟିଏ ଲକ୍ଷ୍ୟ ହେଉଛି, ନିଜ ପୁଅକୁ ଆତ୍ମହତ୍ୟା କରିବାକୁ ନଦେବା। ଋଣ ଭାରରେ ଗାଁର ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ବୁଢା ଚାଷୀଟି ନିଜ ପୁଅର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି। ଗାଁର ପବନ ଖାଲି ଶୁଖିଲା ନୁହଁ, ସେ ବିଷାକ୍ତ ମଧ୍ୟ। ଗାଁ ର ପବନକୁ ବୁଢାଲୋକଟି ଠିକ ଜାଣେ। ସେ ପବନରୁ ବାରିପାରେ ନିଜ ପୃଥିବୀର ହାଲଚାଲ। ସେ ପବନକୁ ଯେତିକି ଚିହ୍ନେ, ତାଠୁ ଅଧିକ ଚିହ୍ନେ ସରକାର ଓ ସରକାରୀ ବ୍ୟବସ୍ଥାକୁ।
ଏଠି ଏ ବୁଢା ଚାଷୀର ସଂଘର୍ଷ ଦୁଇଟି ସ୍ତରରେ। ଗୋଟିଏ ସ୍ତରରେ ସେ ସଂଘର୍ଷ କରୁଛି ପ୍ରକୃତି ସହିତ। ପ୍ରକୃତି ବଦଲୁଛି। ପାଣିପାଗର ଧାରା ଅଲଗା ହୋଇଯାଉଛି। ମଣିଷ ଓ ପ୍ରକୃତି ଭିତରେ ଚାଲିଆସିଥିବା ଚିରନ୍ତନ ସଂଘର୍ଷକୁ ଗୋଟିଏ ସ୍ତରରେ ମୁକାବିଲା କରିବାକୁ ମଣିଷ ନିଜର ଶକ୍ତି ତିଆରି କରିଛି। ଏ ବୁଢା ଚାଷୀଟି ଦୁନିଆଁଙ୍କୁ ଦେଖି ନପାରିଲେ ବି ଦୁନିଆଁକୁ ଚିହ୍ନେ। ତେଣୁ ସେ ସଂଘର୍ଷରେ ସେ ସହଜ। ଆର ସ୍ତରର ସଂଘର୍ଷ ହେଉଛି ସରକାର ଓ ସରକାରୀ ବ୍ୟବସ୍ଥା ସହିତ। ବ୍ୟାଙ୍କ ଋଣ ଓ ତାକୁ ନେଇ ଶୁଝି ନପାରିବାର ଅସହାୟତା ସହିତ। ଗୋଟେ ସରକାରୀ ଅଫିସର ଅଚିହ୍ନା କ୍ରୁରତା ସହିତ। ବୁଢା ଚାଷୀଟି ହୁଏତ ପ୍ରକୃତି କବଳରୁ ନିଜ ପରିବାରକୁ ବଞ୍ଚାଇଦେବ। ହେଲେ ସରକାରୀ ଋଣ ପଞ୍ଝାରୁ ନିଜ ପୁଅକୁ ବଞ୍ଚାଇବ କେମିତି? ଗାଁରୁ ଗୋଟିଏ ପରେ ଗୋଟିଏ ଯୁବକ ଚାଷୀଙ୍କ ଆତ୍ମହତ୍ୟାର ଖବର ଭିତରେ ନିଜ ପୁଅକୁ ସେ କେମିତି ସୁରକ୍ଷିତ ରଖିପାରିବ।
ସରକାରୀ ଋଣ ଯନ୍ତା ସହିତ ସ୍ଥାନୀୟ ସାମାଜିକ ଓ ଅର୍ଥନୈତିକ ଶୋଷଣର ବି ଗୋଟେ ସ୍ତର ଅଛି। ବିଶ୍ଵାସ କରନ୍ତୁ, ମୁଁ କୌଣସି ଖବର କାଗଜର ରିପୋର୍ଟ ଲେଖୁନାହିଁ, ମୁଁ ଗୋଟେ ସିନେମାର କାହାଣୀ କହୁଛି। ନଭେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ନୀଳମାଧବ ପଣ୍ଡାଙ୍କ ସିନେମା “କଡବି ହାୱା” ର କାହାଣୀ କଥା ମୁଁ କହୁଛି। ସତ କହିବାକୁ ଗଲେ “କଡବି ହାୱା” ଗୋଟେ ସିନେମା ନୁହଁ, ଏହା ଆମ ସମୟର ମଧ୍ୟବିତ୍ତମାନେ ଦେଖିବାକୁ ଚାହୁଁ ନଥିବା ଅସଲ ଭାରତର ବାସ୍ତବ ସାମାଜିକ ଚିତ୍ର। ଶହେ କି ହଜାରେ ନୁହଁ, ଲକ୍ଷେ ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଗୋଟେ ଦେଶରେ ସେମାନଙ୍କ କାହାଣୀ କହିବାକୁ ଜଣେ କେହି ସାହସ କରିଛି, ସେଇଟା ଇ ବଡକଥା। ଆଉ କାହାଣୀ କେବଳ କୁହା ହୋଇନି, କାହାଣୀ ଭିତରେ ସିନେମା ନିର୍ମାଣର କଳା ଓ କାରିଗରୀକୁ ସବୁଠୁ ଚମତ୍କାର ଭାବରେ ପ୍ରଦର୍ଶିତ କରାଯାଇଛି। ଦୃଶ୍ୟମ ଫିଲ୍ମ୍ସ ଓ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ଏ ସିନେମା ଆମ ସମୟର ଅନ୍ୟତମ ମାଇଲଖୁଣ୍ଟ ହୋଇ ରହିବ।
ସଞ୍ଜୟ ମିଶ୍ର ଏଇ ସିନେମାରେ ବୁଢା ଓ ଅନ୍ଧ ଚାଷୀର ଭୂମିକାରେ ନିଜ ଜୀବନର ସର୍ବଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରିଛନ୍ତି। ବୋଧହୁଏ, ଗତ ପଚିଶ ବର୍ଷ ଭିତରେ ଯେତେ ହିନ୍ଦୀ ସିନେମା ତିଆରି ହୋଇଛି, ଅଭିନୟ ଦୃଷ୍ଟିରୁ “କଡବି ହାୱା’ ର ପାଖାପାଖି କେହି ଠିଆ ହୋଇପାରିବେ ନାଇଁ। ଏ ସିନେମାର ମଞ୍ଜା ହେଉଛି, ଏହାର ଅଭିନୟ। ସଞ୍ଜୟ ମିଶ୍ର, ରଣବୀର ଶେରୋୟ ଓ ତିଳୋତ୍ତମା ସୋମଙ୍କ ଅଭିନୟରେ ଖାଲି ଯେ ନିଖୁଣତା ଅଛି ତା ନୁହେଁ, ସେମାନଙ୍କ ଅଭିନୟରେ ଜୀବନ ଅଛି। ଆମ ସମୟର ସବୁଠୁ ବଡ ଟ୍ରାଜେଡିକୁ ଏ ସିନେମା ସବୁଠୁ ସୁନ୍ଦର ଭାବରେ ଉପସ୍ଥାପିତ କରିପାରୁଛି।
ନୀଳମାଧବ ପଣ୍ଡା, ଓଡିଆ ଲୋକ, ହେଲେ ସିନେମା କରନ୍ତି ହିନ୍ଦୀରେ। ଆଇ ଆମ କାଲାମ, ଜଲପରୀ, ବବଲୁ ହାପି ହୈ, କୌନ କିତନେ ପାନି ମେ, ହାଲକା ଭଳି ବହୁତ ଚର୍ଚ୍ଚିତ ସିନେମା କରିଥିବା ନୀଳମାଧବଙ୍କ ସବୁ ହିନ୍ଦୀ ସିନେମାରେ କେଉଁଠି ନା କେଉଁଠି ଓଡିଶାର ଚିତ୍ର ଥାଏ। ‘କଡବି ହାୱା’ ରେ ବି ଓଡିଶା ଅଛି। ବ୍ୟାଙ୍କ କର୍ମଚାରୀ ଭୂମିକାରେ ରଣବୀର ଶେରୋୟ ଜଣେ ଓଡିଆ ଭାବରେ ଅଭିନୟ କରିଛନ୍ତି। ବୁନ୍ଦେଲାଖଣ୍ଡର ମରୁଡି ସହିତ ଓଡିଶାର ମାହାବାତ୍ୟା ଭିତରେ ଗୋଟେ ଯୋଗସୂତ୍ର ରହିଛି ଏ ସିନେମାରେ।‘ ଆଇ ଆମ କାଲାମ ‘ ପାଇଁ ନୀଳମାଧବଙ୍କୁ ସବୁଠୁ ବେଶୀ ପ୍ରଶଂସା ମିଳିଛି। ମୋ ମତରେ କିନ୍ତୁ “କଡବି ହାୱା’ ଗତ ପଚାଶ ବର୍ଷର ଭାରତୀୟ ସିନେମାରେ ଅନ୍ୟତମ ଶ୍ରେଷ୍ଠ ସିନେମା ହୋଇ ରହିବ। ବଲିଉଡର ଚକମକ ଆଲୁଅ ଅ ତାରକା ଗହଳିରେ ଏ ସିନେମା ଗୋଟେ ବ୍ୟତିକ୍ରମ। ଏହା ଏକ ପରିପୂର୍ଣ୍ଣ ସିନେମା ଯାହାକୁ ଦେଖି ସାରିଲା ପରେ ଆପଣ ହୁଏତ କାନ୍ଦି ପାରନ୍ତି, ଚିତ୍କାର କରିପାରନ୍ତି କିମ୍ବା ବିଦ୍ରୋହୀ ମଧ୍ୟ ହୋଇପାରନ୍ତି। ଏ ସିନେମା ଆପଣଙ୍କୁ ଆପଣଙ୍କ ସମୟ ଅ ସମାଜ ବିଷୟରେ ଏମିତି କିଛି ଛବି ଦେଖାଇବା, ଯାହା ଆପଣଙ୍କ ଭିତରର ଜଡତାକୁ ଭାଙ୍ଗି ଦେଇପାରେ।
ସିନେମାଟିକୁ ଯଦି ଦେଖିନାହାନ୍ତି, ତେବେ ଆପଣ ଏବେ ଏହାକୁ ଦେଖିପାରିବେ ପ୍ରାୟ ସବୁ ଓଟିଟି ପ୍ଲାଟଫର୍ମ ରେ ।
Comments are closed.