ପୁରୀ: ଗୋପ ବଜାରରେ ଉଚ୍ଛେଦ। ଏକାଧିକ ଦୋକାନୀରେ ବୁଲିଲା ବୋଲଡୋଜର। ଉଚ୍ଛେଦ ବେଳେ ନିମାପଡା ଡିଏସପି, ଗୋପ, କୋଣାର୍କ, ଚାରିଛକ ଏବଂ ନିମାପଡା ଥାନା ଅଧିକାରୀ, ଗୋପ ତହସିଦାରଙ୍କ ସମେତ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୪ଟି ଜେସିବି ଦ୍ୱାରା ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଦୋକାନ ଭଙ୍ଗା ପ୍ରକ୍ରିୟା ସରିବା ପରେ ୬୦ ଫୁଟିଆ ରାସ୍ତା ନିର୍ମାଣ କରାଯିବ ନେଇ ଗୋପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସରକାରୀ ଜାଗା ମାଡ଼ି ବସି ଦୋକାନ କରିଥିବାରୁ ଭାଙ୍ଗିଲା ପ୍ରଶାସନ। ଶତାଧିକ ବ୍ୟବସାୟୀ ଦୀର୍ଘଦିନ ହେବ ଗୋପ ବଜାରରେ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ। ଅନେକ ଉଠା ଦୋକାନୀ ମଧ୍ୟ ଏହି ବଜାର ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନ ପର୍ଯ୍ୟଟନ ଋତୁରେ ଗୋପ ବଜାର ଦେଇ ପ୍ରତିଦିନ ଶତାଧିକ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଯାଉଛନ୍ତି। ଫେରିବା ବେଳେ ଗୋପ ବଜାର ଟ୍ରାଫିକ ଭିଡ଼ରେ ଘଣ୍ଟା ଘଣ୍ଟା ଫସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗୋପ ତହସିଲ୍ ପ୍ରଶାସନ ଏକ ମାସ ପୂର୍ବରୁ ମାପଚୁପ କରି ସରକାରୀ ଜାଗାରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ ଲାଗି ନୋଟିସ୍ କରିଥିଲେ। ଜାଗା ମାପଚୁପ୍ ପରେ ଡାକବାଜି ଯନ୍ତ୍ର ଦ୍ବାରା ଉଚ୍ଛେଦ ପାଇଁ ପ୍ରଚାର କରାଯାଇଥିଲା। ଉଚ୍ଛେଦରେ ପାଖାପାଖି ୫ ଶହରୁ ଅଧିକ ଦୋକାନୀ ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି। ଆଜି ଗୋପ-କୋଣାର୍କ, ଗୋପ-ଚାରିଛକ, ଗୋପ-ବାଲିଘାଇ ଓ ଗୋପ-ନିମାପଡ଼ା ରାସ୍ତାର ଦୁଇ ପାର୍ଶ୍ବ ଅନେକ ଉଠା ଦୋକାନୀ ଓ ବ୍ୟବସାୟୀ ସରକାରୀ ଜାଗାରେ ଦୋକାନ କରିଥିଲେ।