Latest Odisha News

ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ‘ନୀରବ ଝଡ଼’ ଲୋକାର୍ପିତ

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ନଅଗୋଟି ଅପ୍ରକାଶିତ ନାଟକର ନେଇ ନାଟକ ସଙ୍କଳନ ‘ନୀରବ ଝଡ଼ ଓ ଅନ୍ୟାନ୍ୟ ନାଟକ’ ବରିଷ୍ଠ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ କର କମଳରେ ଲୋକାର୍ପିତ ହୋଇଯାଇଛି।

ଟାଇମପାସର ନିର୍ଦ୍ଦେଶକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି, ସଂଘମିତ୍ରା ମିଶ୍ର ମୁଖ୍ୟବକ୍ତା, ପୂର୍ବତନ ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର ବରଣ୍ୟ ଅତିଥି, ଅବସରପ୍ରାପ୍ତ ସୀମାଶୁଳ୍କ ଚିଫ୍‍ କମିଶନର୍‍ ସୁବାସ ଚନ୍ଦ୍ର ଚୌଧୁରୀ, ଏମ୍‍.ସି.ଏଲ୍‍.ର ଅବସରପ୍ରାପ୍ତ ବରିଷ୍ଠ ମହାପ୍ରବନ୍ଧକ ସତ୍ୟଶିବସୁନ୍ଦର ପଣ୍ଡା ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ନାଟ୍ୟକାରଙ୍କୁ ଅଭିବାଦନ ଜଣାଇବା ସହ ଉନ୍ମୋଚିତ ସଙ୍କଳନ ବିଷୟରେ ଅଭିମତ ପ୍ରଦାନ କରିଥିଲେ।

ନାଟ୍ୟକାର ଗୋଟେ ମାୟାର ଦୁନିଆରେ ଥାଏ। ଘଟଣା ଘଟିବା ଆଗରୁ ଯିଏ ଘଟଣା ଘଟାଇପାରେ ସେ ହିଁ ଭଲ ନାଟ୍ୟକାର। ମୁହଁରେ ରଙ୍ଗ ବୋଳିବାଠାରୁ ଦୁନିଆରେ ରଙ୍ଗ ବୋଳିବା ଯାଏ ପରିବ୍ୟାପ୍ତ ଜଣେ ନାଟ୍ୟକାରର ଦାୟିତ୍ଵ। ପେଶାରେ ଜଣେ ଇଞ୍ଜିନିୟର ହୋଇଥିବାରୁ ରାଜେନ୍ଦ୍ର ସାହୁ ନାଟକ ମାଧ୍ୟମରେ ସମାଜର ସବୁ ଯାନ୍ତ୍ରିକତାକୁ ଖୁବ୍ ସୁନ୍ଦର୍ ଭାବେ ପରିବେଷଣ କରିଛନ୍ତି। ସେ ଜଣେ ସଫଳ ଉତ୍ତରଆଧୁନିକ ନାଟ୍ୟକାର ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ ।

ଏହି ଉତ୍ସବରେ ଲେଖକ ଶ୍ରୀ ସାହୁ ନିଜ ନାଟ୍ୟକାର ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଉତ୍ସବ ପ୍ରାରମ୍ଭରେ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର ବଂଶୀବାଦନ କରିଥିଲେଏବଂ ସୁଗାୟିକା ଅର୍ପିତା ପତି ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଅରୁଣ କୁମାର ଦାସ, ଆଶିଷ କୁମାର ମିଶ୍ର, ଅବିନାଶ ସାହୁ ଏହି କାର୍ଯ୍ୟକ୍ରମ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଅରୁଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ।

 

 

Comments are closed.