ଭୁବନେଶ୍ୱର: ଯେଉଁ ଚାରି ଜଣଙ୍କ ନାମ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଘୋଷଣା କରିଛି ବିଜେଡି ସେଥିମଧ୍ୟରୁ ନିରଞ୍ଜନ ବିଶି ହେଉଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସରପ୍ରାଇଜ କାର୍ଡ । ଯିଏକି ଶାସକ ଦଳର ନିକତମ ମିଡିଆ ହାଉସର ଖବରର ଆକଳନ ପରିଧି ମଧ୍ୟରେ ନଥିଲେ। ତେଣୁ କାହିଁକି ବଲାଙ୍ଗୀର ପାଟଣାଗଡର ଏହି ନୂଆ ମୁହଁଙ୍କୁ ପାର୍ଲାମେଣ୍ଟ ପଠାଇବାକୁ ନବୀନ ସ୍ଥିର କଲେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।
ନିରଞ୍ଜନ ବିଶି ହେଉଛନ୍ତି ପଶ୍ଚିମ ଓଡ଼ିଶାର ଆଦାବାସୀ ଚେହେରା । ଯିଏକି ପାଟଣାଗଡର । ମୁଖ୍ୟତଃ ଏହି ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଭାବ ଅନ୍ତିମ ସାଧାରଣ ନିର୍ବାଚନ ବେଳେ ଥିଲା। ହେଲେ ନିକଟରେ ହୋଇଥିବା ପୌର ଏବଂ ପଞ୍ଚାୟତ ନିର୍ବାଚନ ବେଳେ ନିରଞ୍ଜନଙ୍କ ଭଳି ନେତାଙ୍କୁ ଦଳରେ ସାମିଲ କରାଇ ବିଜେଡି ବିରୋଧୀ ବିଜେପି ଏବଂ କଂଗ୍ରେସକୁ ଚେକ୍ ଦେଇଥିବା କୁହାଯାଉଛି।
ନିରଞ୍ଜନ ନିକଟରେ ବିଜେଡିରେ ସାମିଲ ହୋଇଥିଲେ। ଦଳରେ ସାମିଲ ହେବା ପୂର୍ବରୁ ନିଜର ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଥିଲେ। ବଲାଙ୍ଗୀର, କଳାହାଣ୍ଡି ଏବଂ ସମ୍ବଲପୁରରେ ନିରଞ୍ଜନଙ୍କର ପ୍ରଭାବ ରହିଛି। ବିଭିନ୍ନ ସମୟରେ ନକଲି ଜାତିଗତ ସାର୍ଟିଫିକେଟ ନେଇ ହେଉଥିବା ଆନ୍ଦୋଳନ ପଛରେ ନିରଞ୍ଜନ ମୁଖ୍ୟ ପୁରୋଧା ବୋଲି ସୂଚନା ରହିଛି । ଏଥିସହ ଜିଲ୍ଲାରେ ବିଭିନ୍ନ ସମୟରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯେଉଁ ଧାରଣା ଦିଅନ୍ତି ତାହା ବି ନିରଞ୍ଜନଙ୍କ ନେତୃତ୍ୱରେ ହୁଏ ବୋଲି ଜଣାପଡିଛି ।
ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ଅନ୍ୟତମ ଆଦିବାସୀ ନେତା ପ୍ରଦୀପ ମାଝୀ । ଯିଏକି ଦକ୍ଷିଣ ଓଡିଶାର । ହେଲେ ଏହି ସ୍ଥାନରେ ବିଜେଡି ମଜୁବତ ସ୍ଥିତିରେ ରହିଛି । ହେଲେ ପଶ୍ଚିମ ଓଡିଶାରେ ବିଜେଡି ପାଇଁ ବିଜେପି ଗୋଟିଏ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଏପରି ସ୍ଥିତିରେ ଜଣେ ନିର୍ମଳ ଭାବମୂର୍ତି ଏବଂ ଦଳ ପ୍ରତି ଆନୁଗତ୍ୟ ଦେଖାଉଥିବା ନେତା ନିରଞ୍ଜନଙ୍କ ଉପରେ ନବୀନ ଭରସା କରିଥିବା ସୂଚନା ରହିଛି।
ସେହିପରି ନବୀନ ସରକାରର ପୂର୍ବତନ ମନ୍ତ୍ରୀ ତଥା ଡୁନ ସ୍କୁଲ ସାଙ୍ଗ ଏୟୁ ସିଂ ଦେଓ ପରିବାରର ପ୍ରଭାବ ବଲାଙ୍ଗୀରରେ ରହିଛି । ଦଳର ଏହି ପୁରୁଖା ନେତା ଦୀର୍ଘଦିନ ଧରି ତାଙ୍କ ସାଙ୍ଗକୁ ଭେଟିବାକୁ ପ୍ରୟାସ କରି ବିଫଳ ହୋଇଛନ୍ତି। ଏବେ ନିରଞ୍ଜନଙ୍କୁ ଟିକେଟ ଦେଇ ସାଧାରଣ ନିର୍ବାଚନ ପୂର୍ବରୁ ପରୋକ୍ଷରେ ରାଜା ପରିବାରରେ ଥିବା ବିଜେଡି ନେତାଙ୍କୁ ଚେକ୍ ଦେଇଛି ବିଜେଡି । ସେହିପରି ବିଧାନସଭା ଆସନ ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଫୋକସ କରୁଥିବା ସୂଚନା ରହିଛି।
Comments are closed.