ଭୁବନେଶ୍ୱର: ବଢିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ଅଡୁଆ । ଅଶ୍ଳୀଳ ନାଚ ପ୍ରଦର୍ଶନ ପାଇଁ ଗିରଫ ହୋଇପାରନ୍ତି ନିଶା । ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ନିଶାଙ୍କ ଗିରଫ ସମ୍ଭାବନା ବଢିଛି । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢିଛି ।
ଗୋଟିଏ ଟିମ ଭୁବନେଶ୍ୱର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି । କିଛିଦିନ ଆଗରୁ ଭଦ୍ରକରେ ଅଶ୍ଳୀଳ ନାଚ ପ୍ରଦର୍ଶନ କରିବାରୁ ପେଣ୍ଡାଲ ଉପରେ ଚଢି ଦର୍ଶକ ହୋହଲ୍ଲା କରିଥିଲେ । ଏହାପରେ ଛତିଶଗଡରେ ସେହିଭଳି ନୃତ୍ୟ ପ୍ରଦର୍ଶନ କରିବାରୁ ୧୪ଜଣଙ୍କୁ ପୋଲିସ ଗିରଫ କରିଥିଲା ।
ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ମୈନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସେହିଭଳି ପୋଲିସ ପକ୍ଷରୁ ୧୪ ଜଣ ଆୟୋଜକଙ୍କୁ ଗିରଫ କରାଯାଇଛି। ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି।
ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ତେବେ ଗତ ୯ ତାରିଖ ରାତିରେ ଅପେରାରେ ନିଶା ମହାରଣା ନୃତ୍ୟ ପରିବେଷଣ କରିଥିଲେ। ମୈନପୁର ଉପଜିଲ୍ଲାପାଳ ଓ ପୋଲିସଙ୍କ ଉପସ୍ଥିତିରେ ଏଭଳି ନୃତ୍ୟ ଚାଲିଥିବା ନେଇ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହୋଇଥିଲା। ଏହା ପରେ ୧୦ ତାରିଖରେ ଅପେରା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ତହସିଲଦାର ଓ ପୋଲିସର ବିନା ଅନୁମତିରେ ମୈନପୁର ଉପଜିଲ୍ଲାପାଳ ଡ. ତୁଳସୀ ଦାସ ମାର୍କାମା ଅପେରା ପାଇଁ ଅନୁମତି ଦେବା ଓ ନିଜେ ଉପସ୍ଥିତ ରହି ମଜା ଉଠାଉଥିବା ଅଭିଯୋଗରେ ତାଙ୍କୁ ବଦଳି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏକ ୪ ଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.