Latest Odisha News

ଏଣିକି ବାଇକ୍ କିଣିଲେ ଶସ୍ତାରେ ମିଳିବ ହେଲମେଟ୍‌

ନୂଆଦିଲ୍ଲୀ: ଆପଣ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ସମସ୍ତ ପ୍ରକାର ବାଇକ୍ କ୍ରୟକାରୀଙ୍କ ପାଇଁ ଶସ୍ତା ହେଲମେଟ ଉପଲବ୍ଧ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦୁଇ ଚକିଆ ଯାନ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବାଇକ୍ କିଣୁଥିବା ସମସ୍ତ ଗ୍ରାହକଙ୍କୁ ରିହାତିରେ ହେଲମେଟ ଯୋଗାଇ ଦିଆଯିବ।

ନୀତିନ ଗାଡକରୀ କହିଛନ୍ତି ଯେ ପ୍ରତିବର୍ଷ ଦେଶରେ ୫୦ ହଜାରରୁ ଅଧିକ ବାଇକ ଆରୋହୀ ହେଲମେଟ ପିନ୍ଧି ନଥିବାରୁ ମୃତ୍ୟୁ ବରଣ କରନ୍ତି। ୨୦୨୨ ମସିହାରେ ହେଲମେଟ ନପିନ୍ଧିବା କାରଣରୁ ୫୦,୦୨୯ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ସମସ୍ତ ଦୁଇ ଚକିଆ କମ୍ପାନୀ ବାଇକ୍ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ହେଲମେଟ ଯୋଗାଇବା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ।

ଗାଡକରୀ ଗତ ବର୍ଷ ଇଞ୍ଜିନିୟରମାନଙ୍କ ଉପରେ ଖୋଳତାଡ଼ କରିଥିଲେ। ଜାନୁଆରୀରେ ସେ କହିଥିଲେ ଯେ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି କାରଣ ଇଞ୍ଜିନିୟରମାନେ ରାସ୍ତାକୁ ଠିକ୍ ଭାବରେ ଡିଜାଇନ୍ କରୁନାହାଁନ୍ତି। ନିକଟରେ ସେ କହିଥିଲେ ଯେ ଦେଶରେ ପ୍ରତିବର୍ଷ ୧୨ ପ୍ରତିଶତ ସଡ଼କ ଦୁର୍ଘଟଣା ହେଉଛି। ଏହି ଦୁର୍ଘଟଣା ଯୋଗୁଁ ମୃତ୍ୟୁ ୧୦ ପ୍ରତିଶତକୁ ବୃଦ୍ଧି ପାଉଛି। ଏହି କାରଣରୁ ଦେଶର ଜିଡିପି ତୁଳନାରେ ୩.୧୪ ପ୍ରତିଶତ କ୍ଷତି ହୋଇଛି।

ସ୍କୁଲ ବସ୍ ପାଇଁ ପାର୍କିଂ ଉପରେ ମଧ୍ୟ କଠୋର ନିୟମ-
ସ୍କୁଲ ବସ୍ ପାଇଁ ପାର୍କିଂ ବ୍ୟବସ୍ଥା କରିବା ଉପରେ ସଡ଼କ ଓ ପରିବହନ ମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ମୋଟର ଯାନ ଅଧିନିୟମ ୨୦୧୯ ରେ ପରିବର୍ତ୍ତନ କରି କେବଳ ଜୋରିମାନା ମହଙ୍ଗା ହୋଇନାହିଁ ବରଂ ଏହାର କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ବିଦ୍ୟାଳୟରେ ବସ୍ ପାଇଁ ପାର୍କିଂ ବ୍ୟବସ୍ଥା କରିବା।

 

Comments are closed.