Latest Odisha News

BREAKING NEWS

ଏନଡିଏକୁ ନେଇ ଚନ୍ଦ୍ରବାବୁ-ନୀତୀଶଙ୍କ ବଡ଼ ନିଷ୍ପତ୍ତି, ୧୭ ସାଂସଦଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହୋଇସାରିଛି। ଏଥର କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି। ତେବେ ବିଜେପି ନେତୃତ୍ୱାଧୀନ ସହଯୋଗୀ ଏନଡିଏ ୨୯୨ ଆସନ ପାଇଛି। ଏଥି ସହିତ ଇଣ୍ଡିଆ ଆଲାଇନ୍ସକୁ ୨୩୪ ଆସନ ମିଳିଛି। ଏଭଳି ପରିସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଜେଡିୟୁକୁ ୧୨ଟି ଆସନ ଏବଂ ଟିଡିପି ୧୬ଟି ଆସନ ପାଇଛି। ମିଳିତ ଭାବେ ସମୁଦାୟ ୨୮ଟି ଆସନ ମିଳିଛି, ଯାହା ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି।

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାର ଗଠନ କରିବାକୁ ଦାବି କରିଛି। ସେପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଏଯାଏ ନିଜର କାର୍ଡ ଖୋଲିନି। ଅନ୍ୟପଟେ ଏହି ଦୁଇ ଦଳର ବ୍ୟତିତ ସ୍ୱାଧୀନ ସାଂସଦ ତଥା ଦଳ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି, ଯେଉଁମାନେ ଏନଡିଏ କିମ୍ବା ଇଣ୍ଡିଆ ଆଲାଇନ୍ସର ଅଂଶ ନୁହଁନ୍ତି। ଏହିପରି ସାଂସଦଙ୍କ ସଂଖ୍ୟା ୧୭ ରହିଛି। ଏହି ସାଂସଦମାନେ ମଧ୍ୟ ସରକାରଙ୍କ ଭବିଷ୍ୟତ ସ୍ଥିର କରିପାରିବେ।

ଗୋଟିଏ ପଟେ ଇଣ୍ଡିଆ ମେଣ୍ଟର ନଜର ଏବେ ନୀତୀଶ କୁମାରଙ୍କ ଉପରେ ଥିବା ବେଳେ ଅନ୍ୟପଟେ ବିଜେପି ନୀତୀଶଙ୍କୁ ହାତଛଡା କରିବାକୁ ଚାହୁଁ ନାହିଁ। ଲୋକସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସରକାର ଗଠନ ପୂର୍ବରୁ ବୁଧବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଏହି ବୈଠକରେ ଯୋଗଦେବା ପାଇଁ ଏନଡିଏ ସହ ଜଡିତ ସମସ୍ତ ଦଳର ନେତାଙ୍କୁ ଆଜି ଦିଲ୍ଲୀ ଡକାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ଚିରାଗ ପାଶୱାନ, ଜିତନ ରାମ ମାଞ୍ଜୀଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଛି।

ସେହିପରି ଟିଡିପିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବୁଧବାର କହିଛନ୍ତି, ତାଙ୍କ ଦଳ ଏନଡିଏ ସହିତ ଅଛି ଏବଂ ଆଜି ଦିନରେ ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ସେ ଯୋଗ ଦେବେ। ଏଥିସହ ଜନସେନା ପାର୍ଟିର ପ୍ରମୁଖ ପଓ୍ବନ କଲ୍ୟାଣ ମଧ୍ୟ ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ସାମିଲ ହେବେ। ଏନେି ନାଇଡୁ କହିଛନ୍ତି, ମୁଁ ଏହି ଦେଶରେ ବହୁତ ରାଜନୀତି ବଦଳିବାର ଦେଖିଛି। ମୁଁ ଏନଡିଏ ସହିତ ଅଛି। ନୂଆଦିଲ୍ଲୀରୁ ଫେରିବା ପରେ ମୁଁ ସବୁ ସୂଚନା ଦେବି ବୋଲି ନାଇଡୁ କହିଛନ୍ତି।

 

Leave A Reply

Your email address will not be published.