Latest Odisha News

BREAKING NEWS

ବିରୋଧୀ ଏକତା ପାଇଁ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି ନୀତୀଶ କୁମାର, ଦୋଛକିରେ କଂଗ୍ରେସ?

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକାଠି କରି ଗୋଟିଏ ମଞ୍ଚକୁ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ତେବେ ଯେଉଁସବୁ ଆଞ୍ଚଳିକ ଦଳ ଏକାଠି ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ସେଥିରେ କଂଗ୍ରେସ ରହିବ ନା ନାହଁ ଅସ୍ପଷ୍ଟ ରହିଥିଲେ ମଧ୍ୟ ଏବେର ରାଜନୈତିକ ସ୍ଥିତି ଓ ମୋଦୀଙ୍କ ଭଳ ବଡ଼ ନେତାଙ୍କୁ କ୍ଷମତାରୁ ହଟାଇବାକୁ ଯାଇ କଂଗ୍ରେସ ଏବେ ବିରୋଧୀ ଦଳରେ ସାମିଲ ହେବ ବୋଲି ପରୋକ୍ଷରେ ମଧ୍ୟ ହଁ ମାରିଥିବା ଜାତୀୟ ଗଣମାଧ୍ଯମରେ ଚର୍ଚ୍ଚା ହେଉଛି। ଆଉ ନୀତୀଶଙ୍କ ଫର୍ମୁଲାକୁ କଂଗ୍ରେସ ଏବେ ଅନୁଧ୍ୟାନ କରୁଥିବା ସୂଚନା ରହିଛି। କହିରଖୁଛୁ ବିହାରରେ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଛନ୍ତି ନୀତୀଶ କୁମାର।

କଂଗ୍ରେସ ଓ ଅନ୍ଯ ବିରୋଧୀ ଦଳ ମଧ୍ୟରେ ଦ୍ବନ୍ଦ୍ବ

ଅନ୍ୟପଟେ ଭାରତ ଯୋଡ ଯାତ୍ରା ପରଠାରୁ କଂଗ୍ରେସ ରାହୁଲଙ୍କ ପାଇଁ ପିଚ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି। ଯାହା ଅନ୍ଯ ବିରୋଧୀ ଦଳ ପାଇଁ ଏକ ବଡ଼ କାରଣ ହୋଇପାରେ। କଂଗ୍ରେସ ନେତୃତ୍ୱରେ ବିରୋଧୀ ଏକତା ଆଗକୁ ବଢ଼ିବ ବୋଲି କଂଗ୍ରେସ ସଭାପତି ମଲାକାର୍ଜୁନ ଖଡଗେ କହିଛନ୍ତି। ତେବେ ଅନ୍ୟ ବିରୋଧୀ ଦଳ ଏଥିରେ କ୍ଷତି ସହିବାକୁ ଯାଉଛନ୍ତି। କାରଣ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଏଭଳି ପରିସ୍ଥିତିରେ ଟିଏମସି, ଜେଡିୟୁ, ଆରଜେଡି ଏବଂ ଏନସିପି ଭଳି ଦଳଙ୍କୁ ନିଜ ଆସନ ଦାନ କରିବାକୁ ପଡିପାରେ। କାରଣ ମିଳିତ ମଞ୍ଚର ନେତୃତ୍ୱ କଂଗ୍ରେସ ହାତରେ ରହିଲେ, ଏଭଳି ପରିସ୍ଥିତିରେ ତାଙ୍କୁ ଅଧିକ ଆସନ ଦେବାକୁ ପଡିପାରେ। ଯେଉଁଥିରେ ଏହି ଆଞ୍ଚଳିକ ଦଳଗୁଡ଼ିକ ଲାଭ ବଦଳରେ କ୍ଷତି ସହିପାରନ୍ତି। ତେଣୁ କଂଗ୍ରେସର ନେତୃତ୍ୱକୁ ନେଇ ବିରୋଧୀ ଏକତା ମଧ୍ୟରେ ମତଭେଦ ହୋଇପାରେ।

ବିନା କଂଗ୍ରେସରେ ବିରୋଧୀ ଏକତା ସମ୍ଭବ?

ଯଦିଓ ବିରୋଧୀ ଦଳର ଅନେକ ବଡ ନେତା ବିଶ୍ୱାସ କରନ୍ତି ଯେ କଂଗ୍ରେସ ବିନା ସମ୍ପୂର୍ଣ୍ଣ ବିରୋଧୀ ଏକତା ସମ୍ଭବ ନୁହେଁ। ଯଦି କଂଗ୍ରେସ ଛାଡି ତୃତୀୟ ମୋର୍ଚ୍ଚା ଗଠନ ହୁଏ, ତେବେ ଏହା କେବଳ ବିଜେପି ପାଇଁ ଲାଭଦାୟକ ହେବ। କୌଣସି ବିରୋଧୀ ଦଳ ତୁଳନାରେ ଦେଶର ସମସ୍ତ ରାଜ୍ୟରେ କଂଗ୍ରେସର ପହଁଚ ଅଧିକ, ଏଭଳି ପରିସ୍ଥିତିରେ ବର୍ତ୍ତମାନ ସମ୍ଭବ ନୁହେଁ ଯେ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳ ଏହି ଗ୍ରାଣ୍ଡ ଆଲାଇନ୍ସର ନେତୃତ୍ୱ ନେବେ।

ଅନ୍ୟପକ୍ଷରେ ଅନେକ କଂଗ୍ରେସ ନେତା ଭାବନ୍ତି ଯେ ମିଳିତ ମଞ୍ଚରେ ଲଢ଼ିବା ଦଳକୁ କ୍ଷତି ପହଞ୍ଚାଇପାରେ। ସମଗ୍ର ଦେଶରେ ମିଳିତ ମଞ୍ଚ ଗଠନ କରିବା ପରିବର୍ତ୍ତେ କଂଗ୍ରେସ ସେହି ରାଜ୍ୟଗୁଡିକରେ ଆଞ୍ଚଳିକ ଦଳ ସହ ମେଣ୍ଟ କରିପାରିବ ଯେଉଁଠାରେ ଦଳ ଅତ୍ୟନ୍ତ ଦୁର୍ବଳ ରହିଛି। ହେଲେ ଗୁଜୁରାଟ, ମଧ୍ୟପ୍ରଦେଶ, ହରିୟାଣା, ଛତିଶଗଡ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରେ ଦଳର ସ୍ଥିତି ଭଲ ରହିଛି। ତେଣୁ ଏଠାରେ ମେଣ୍ଟ କଲେ ଦଳକୁ ଘାଟା ହୋଇପାରେ।

ମୋଦୀଙ୍କ ବିରୋଧରେ କିଏ ?

ସେହିପରି ମୋଦୀ ବନାମ ବିରୋଧୀ ଦଳର କିଏ? ଏହା ମଧ୍ୟ ଏକ ବଡ ଆହ୍ୱାନ। କିଏ ଚେହେରା ହେଲେ ବିରୋଧୀ ଦଳ ଲୋକସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିପାରିବ। ଯାହାକୁ ନେଇ ବିରୋଧୀ ଦଳ ମଧ୍ୟରେ ଦ୍ବନ୍ଦ୍ୱ ରହିଛି। ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପାଇଁ କୌଣସି ନାମରେ ସହମତି ହେବା ଆଦୌ ସହଜ ହେବ ନାହିଁ। ଏହା ଉପରେ ବିଜେପି ନଜର ରଖିଛି। କାରଣ ବିରୋଧୀ ଦଳ ଏହାର ନେତା ଘୋଷଣା କରିବା ମାତ୍ରେ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତୁଳନା କରି ସମଗ୍ର ବାତାବରଣ ପ୍ରସ୍ତୁତ କରିବ। ଏହା ସହିତ, ଏଥିପାଇଁ ଏକ ସମ୍ପୂର୍ଣ୍ଣ ରଣନୀତି ମଧ୍ୟ ପ୍ରସ୍ତୁତ ହେବ।

Leave A Reply

Your email address will not be published.