ପାଟନା: ପୁଣି ବିହାରରେ ନୀତିଶ ସରକାର…କମାଲ କଲା ନୀତିଶ-ମୋଦି ଯୋଡି…୧୦ମ ଥର ପାଇଁ ବିହାର ଅକ୍ତିଆର…ମଇଦାନରେ ଦେଖାଇଲେ ମହିଳା ଶକ୍ତି…
ପୁଣି ବିହାରର ମଙ୍ଗ ଧରିଲେ “ସୁଶାସନ ବାବୁ” । ବିହାର ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହୋଇଥିଲା। ୭୪ ବର୍ଷୀୟ ନୀତିଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ, ୨୬ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଥର, ନୂତନ କ୍ୟାବିନେଟରେ ପ୍ରତ୍ୟେକ ବର୍ଗ ଏବଂ ଜାତିର ନେତାଙ୍କୁ ସାମିଲ କରିବା ପାଇଁ ନୀତିଶ କୁମାରଙ୍କ ପ୍ରୟାସ ସ୍ପଷ୍ଟ ଭାବରେ ଦେଖାଯାଉଛି। ନୀତିଶ କୁମାରଙ୍କ କ୍ୟାବିନେଟରେ ରାଜପୁତ ସମ୍ପ୍ରଦାୟର ଚାରି ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଭୂମିହାର ସମ୍ପ୍ରଦାୟର ଦୁଇଜଣଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ବିହାର କ୍ୟାବିନେଟରେ ଦଳିତମାନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିନିଧିତ୍ୱ ଦିଆଯାଇଛି।
କାହାର କେତେ ମନ୍ତ୍ରୀ?
ବାରମ୍ବାର ବୈଠକ, ମନ୍ତ୍ରୀ ପଦ ନେଇ ଟଣାଓଟରା ପରେ, ଶେଷରେ ଆଜି ଗଢା ହୋଇଛି ନୀତିଶଙ୍କ ନୂଆ ସରକାର । ଆଜି ମଞ୍ଚ ଉପରେ ନୀତିଶଙ୍କ ସହ ମୋଟ ୨୬ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଯେଉଁଥିରେ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ପୁନଶ୍ଚ ଉପମୁକ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ଏମାନଙ୍କ ବ୍ୟତୀତ ବିଜେପିର ଦିଲୀପ ଜୟସୱାଲ, ମଙ୍ଗଲ ପାଣ୍ଡେ, ନିତିନ ନବୀନ, ସୁରେନ୍ଦ୍ର ମେହେଟ୍ଟା କୁଶୱା, ସଞ୍ଜୟ ଟାଇଗର, ଲାଖେନ୍ଦ୍ର ପାସୱାନ୍, ଶ୍ରେୟାସୀ ସିଂ, ଅରୁଣ ଶଙ୍କର ପ୍ରସାଦ, ରାମ କ୍ରିପାଲ ଯାଦବ, ରାମା ନିଶାଦ ମଲ୍ଲା, ନାରାୟଣ ଶାହା, ପ୍ରମୋଦ କୁମାର ଚନ୍ଦ୍ରଭାନ୍ସି, ମୋଟ ୧୪ ବିଧାୟକ ଶପଥ ନେଇଛନ୍ତି । ଜେଡିୟୁରୁ ଅଶୋକ ଚୌଧୁରୀ, ଲେସି ସିଂ, ସୁନୀଲ କୁମାର, ବିଜୟନ୍ଦ୍ର ଯାଦବ, ଶ୍ରବଣ କୁମାର, ବିଜୟ ଚୌଧୁରୀ, ମଦନ ସାହନି, ଜାମା ଖାନ, ମୋଟ ୮ ଜଣ ଶପଥ ନେଇଛନ୍ତି । ସେହିପରି LJP (ଆରଭି)ରୁ ସଞ୍ଜୟ ପାସୱାନ ଏବଂ ସଞ୍ଜୟ ସିଂହ, ୨ ଜଣ ଶପଥ ନେଇଥିବା ବେଳେ ଏଚଏଏମ୍ ସନ୍ତୋଷ କୁମାର ସୁମନ ଏବଂ ଆରଏଲଏମ ବିଧାୟକ ଦୀପକ ପ୍ରକାଶ କୁଶୱାହା, ପ୍ରତ୍ୟେକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ନୀତିଶ କୁମାରଙ୍କ ୧୦ କା ଦମ୍ ପଛରେ ଏମାନେ…
ଆଜି ଗାନ୍ଧୀ ମଇଦାନରେ ନୀତିଶ ସରକାରଙ୍କ ୧୦ମ ପାଳିର ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥିଲା। ମିଧାନରେ ନୀତିଶଙ୍କ ମହିଳା ଶକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାମୁଛା ହଲାଇବା ଷ୍ଟାଇଲରେ ପୂରା ମଇଦାନରେ ନିଜର କାନି ଲହରାଇଥିଲେ । ଯାହା ଶପଥ ଗ୍ରହଣ ଉତ୍ସବରେ ମହିଳାଙ୍କ ବିପୁଳ ଉପସ୍ଥିତିକୁ ଆହୁରି ଆକର୍ଷଣୀୟ କରିଥିଲା । ଲକ୍ଷ ଲକ୍ଷ ଜୀବିକା ଦିଦିଙ୍କ ସଂଖ୍ୟା ହେଉଛି ନୀତିଶ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାର ଲାଭାର୍ଥୀ ଏବଂ ମୁଖ୍ୟ ଭୋଟର। ମହିଳାମାନେ “ସୁଶାସନ ବାବୁ ଜିନ୍ଦାବାଦ” ଏବଂ “ମହିଳା ଶକ୍ତି କି ଜୟ” ଭଳି ସ୍ଲୋଗାନ ଦେଇ ନୀତିଶଙ୍କୁ ତାଙ୍କ ୧୦ମ ପାଳି ପାଇଁ ସ୍ୱାଗତ କରିଥିଲେ। ମହିଳାଙ୍କ ଭୋଟ ବିହାର ନିର୍ବାଚନରେ ଏନଡିଏକୁ ମଜବୁତ କରିଥିଲା, ଯାହା ଏହି ଉତ୍ସବରେ ସ୍ପଷ୍ଟ ଭାବରେ ସ୍ପଷ୍ଟ ହୋଇଥିଲା।
ତେବେ ୨୦୦୦ ମସିହାରେ ପ୍ରଥମ ଥର କେବଳ ୭ ଦିନ ପାଇଁ ବିହାରର ମଙ୍ଗୁଆଳ ସାଜିଥିଲେ ନୀତିଶ କୁମାର । ପରେ ୨୦୦୫ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଫେରିଥିଲେ। ସେବେଠୁ ପଛକୁ ଫେରି ଚାହିଁନାହାନ୍ତି । ଏ ଗ୍ରୁପରୁ ସେ ଗ୍ରୁପ ବଦଳାଇ, ନିଜର ସ୍ବାର୍ଥକୁ ସବା ଆଗରେ ରଖଥିବା ନୀତିଶ ସାଜିଥିଲେ ପଲଟୁ ରାମ ଆଉ ବିହାର ରାଜନୀତିର ସୁଶାସନ ବାବୁ । ପରେ ୨୦୧୦ ମସିହାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୧୫ ଫେବୃଆରୀରେ ମାଞ୍ଝିଙ୍କ ଇସ୍ତଫା ପରେ ନୀତିଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୫ ନଭେମ୍ବର ନିର୍ବାଚନରେ ନୀତିଶ କୁମାର ମହାଗଠବନ୍ଧନ ସରକାରଙ୍କ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ, ନୀତିଶ କୁମାର ୨୦୧୭ ମସିହାରେ ଏନଡିଏ ସରକାରଙ୍କ ଅଧୀନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଉ ସେହି ସରକାରରେ ଥାଇ ୨୦୨୦ ମସିହାରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଉ ପୁଣି ୨୦୨୨ ମସିହାରେ, ସେ ଏନଡିଏରୁ ଅଲଗା ହୋଇ ଆରଜେଡି ଏବଂ କଂଗ୍ରେସ ସହିତ ଏକ ମହାଗଠବନ୍ଧନ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ୨୦୨୪ରେ, ସେ ଏନଡିଏକୁ ଫେରିଥିଲେ। ଆଉ ଏଥର ବହୁ କଳ୍ପନାଜଳ୍ପନା, ମନମାଳିନ୍ୟ ପରେ ସେହି ଏନଡିଏ ସହିତ ମିଶି ବିହାରରେ ବିପୁଳ ବିଜୟ ହାସଲ କରି ପୁଣି ୧୦ମ ଥର ପାଇଁ ନିଜ ସରକାର ଗଢିଛନ୍ତି ନୀତିଶ ।
Comments are closed.