Latest Odisha News

BREAKING NEWS

ମୋଦିଙ୍କ ପାଦ ଛୁଇଁଲେ ନୀତିଶ; କହିଲେ, ସବୁବେଳେ ସାଥିରେ ରହିବୁ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ ରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସଭାପତି ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ସହଯୋଗୀ ଦଳ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଶିବସେନାର ଏକନାଥ ସିନ୍ଦେଙ୍କ ସହ ବହୁ ବରିଷ୍ଠ ନେତା ଓ ସାଂସଦମାନେ ସାମିଲ ହୋଇଥିଲେ ।

ବୈଠକରେ ଏନଡିଏ ର ସହଯୋଗୀ ଦଳର ମୁଖ୍ୟମାନେ ସମର୍ଥନ ଜଣାଇ ନରେନ୍ଦ୍ର ମୋଦିଙ୍କୁ ନିଜ ନେତା ଭାବେ ବାଛିଛନ୍ତି । ତେବେ ଏହି ବୈଠକରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି ।

ଏହି ଅବସରରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୋଦି ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସମଗ୍ର ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ଏଥିସହ ସେ ସର୍ବଦା ମୋଦିଙ୍କ ସହ ରହିବେ ବୋଲି କହିଛନ୍ତି ।

ଏହାପରେ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି । ଦେଶ ବହୁତ ଆଗକୁ ବଢିବ, ବିହାରର ସବୁ କାମ ପୂରା ହୋଇଯିବ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ ବୋଲି ନୀତିଶ ଦମ୍ଭୋକ୍ତି ର ସହ କହିଛନ୍ତି ।
ତେବେ ଆସନ୍ତା ରବିବାର ଅର୍ଥାତ୍ ଜୁନ୍ ୯ ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ରାଷ୍ଟ୍ରୀୟ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି ।

Leave A Reply

Your email address will not be published.