Latest Odisha News

ଆରଜେଡି ସହ ନୀତୀଶଙ୍କ ବିବାଦ: ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ, ଭାଙ୍ଗିବ କି ସରକାର?

ପାଟନା: ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଲାଲୁଙ୍କ ଦଳ ଆରଜେଡି ସହ ଦ୍ଵିତୀୟ ଥର ସମ୍ପର୍କ ଗଢ଼ିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କିନ୍ତୁ ଏହି ସଂପର୍କର ଅବଧି କେତେ ଦିନ ରହିବ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିହାରରେ ଯେଉଁ ପରିସ୍ଥିତି ଉପୁଜିଛି ଖାସ କରି ଆରଜେଡି ସହ ଜେଡିୟୁର ଭିତିରିଆ କନ୍ଦଳ ପରେ ଏବେ ନୀତୀଶଙ୍କ ଦଳ କଣ କରିବ ତାହା ଚର୍ଚ୍ଚାରେ। ଯଦିଓ କୁହାଯାଉଛି ସେ ଏନଡିଏ ଆଡକୁ ଢଳିବେ କିନ୍ତୁ ବିଜେପି ମଧ୍ୟ କହି ସାରିଛି ନୀତୀଶଙ୍କୁ ସେ ଆଉ ଗ୍ରହଣ କରିବ ନାହିଁ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାପରେ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଉପାଧି କେନ୍ଦ୍ର ସରକାର ଘୋଷଣା କରିବା ପରେ ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି ନୀତୀଶ। ଯାହାକୁ ନେଇ ଇଣ୍ଡିଆ ମେଣ୍ଟରେ ଅସନ୍ତୋଷ ସୃଷ୍ଟି କରିଛି। କାରଣ ଜେଜିୟୁ ଓ କଂଗ୍ରେସ ଉଭୟ ଇଣ୍ଡିଆ ମେଣ୍ଟର ସଦସ୍ୟ।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଭବନରେ ନୀତୀଶ କୁମାର ଜେଡିୟୁ ନେତାଙ୍କ ସହ ବୈଠକ କରିଥିବା ବେଳେ ଲାଲୁ ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାବଡି ଦେବୀଙ୍କ ବାସଭବନରେ ଆରଜେଡି ନେତାଙ୍କ ସହ ବୈଠକ କରିଛନ୍ତି। ଦିଲ୍ଲୀରେ ଅମିତ ଶାହା ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଏବଂ ଅନ୍ୟ ନେତାଙ୍କ ସହ ବସିଥିବା ବେଳେ ଏହା ପୂର୍ବରୁ ବିହାର ବିଜେପି ପ୍ରଭାରୀଙ୍କ ବାସଭବନରେ ମଧ୍ୟ ଏକ ବୈଠକ ହୋଇଥିଲା।

ବିଜେପି ସ୍ଥାନୀୟ କାର୍ଯ୍ୟାଳୟରେ ଏହାରି ଭିତରେ  କୋର କମିଟିକୁ ନେଇ ଏକ ବୈଠକ କରିଛି। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ କହିଛନ୍ତି ଯେ କର୍ମୀମାନେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ଲୋକସଭା ନିର୍ବାଚନରେ ତୃତୀୟ ଥର ପାଇଁ କେନ୍ଦ୍ରରେ ବିଜେପି ସରକାର ଗଠନ ହେବ ବୋଲି ସେ କହିଛନ୍ତି। ଜେଡିୟୁ ବିଧାୟକ ଓ ସାଂସଦମାନେ ନୀତୀଶ କୁମାରଙ୍କ ସହ ଅଧିକ ଦିନ ରହିବେ ନାହିଁ ବୋଲି ସେ କହିଛନ୍ତି।

ନିକଟରେ ହୋଇଥିବା ୩ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସରକାର ଗଠନ କରିଛି ବୋଲି ମିଥିଲେଶ ତିୱାରୀ କହିଛନ୍ତି। କୋର କମିଟି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରମିକମାନଙ୍କୁ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କେନ୍ଦ୍ରର କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବାକୁ କହିଥିଲେ।

ରାଜନୈତିକ ହଲଚଲ ଭିତରେ ଏବେ ବିହାରରେ ବିଜେପି ଓ ଜେଡିୟୁ ମିଶି ସରକାର ଗଢ଼ିବେ ବୋଲି ପ୍ରାୟ ସ୍ଥିର ହୋଇଛି। ଜାନୁଆରି ୨୮ରେ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି।

ଯଦିଓ ବିଜେପି ପୂର୍ବରୁ କହିଥିଲେ ନୀତୀଶଙ୍କୁ ମେଣ୍ଟରେ ସାମିଲ କରିବ ନାହିଁ କିନ୍ତୁ ରାଜନୀତିରେ ସମୟ ବଡବଳବାନ। ଆଜି ଯିଏ ଶତ୍ରୁ କାଲି ସେ ମିତ୍ର। ତେଣୁ ଇଣ୍ଡିଆ ମେଣ୍ଟକୁ ଦୁର୍ବଳ କରିବାକୁ ଯାଇ ନୀତୀଶଙ୍କୁ ଏବେ ନିଜ ପାଲରେ ରଖିବାକୁ ବିଜେପିର ଚାଣକ୍ୟ ଯୋଜନା କରୁଥିବା ଜଣାପଡ଼ିଛି।

Comments are closed.