Latest Odisha News

BREAKING NEWS

ପରମବୀର ଚକ୍ରରେ କାହିଁକି ଥାଏ ଇନ୍ଦ୍ରଙ୍କ ବଜ୍ର ଚିହ୍ନ, କଣ ରହିଛି ଏହା ପଛର କାହାଣୀ

ଭୁବନେଶ୍ଵର: ପରମବୀର ଚକ୍ର ପଦକ ସେହି ସାହସୀ ସୈନିକମାନଙ୍କୁ ଦିଆଯାଏ, ଯେଉଁମାନେ ଶତ୍ରୁମାନଙ୍କ ସାମ୍ନାରେ ସାହସିକତାର ସହ ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପରମବୀର ଚକ୍ର ପଦକ ସେନାର ସମସ୍ତ ସୈନିକଙ୍କ ପାଇଁ ଏକ ବିଶେଷ ମହତ୍ଵ ବହନ କରିଥାଏ । ତେବେ ଯଦି ଆପଣ ଏହି ପଦକକୁ କେବେ ଦେଖିଥିବେ, ତେବେ ଏଥିରେ ଏକ ବିଶେଷ ପ୍ରକାରର ଡିଜାଇନ୍ ଥିବା ଦେଖିଥିବେ ନିଶ୍ଚୟ । କିନ୍ତୁ ଆପଣ ଜାଣନ୍ତି କି ସେହି ବିଶେଷ ଡିଜାଇନ୍ କ’ଣ ଏବଂ ଏହା ପରମବୀର ଚକ୍ରରେ କାହିଁକି ଖୋଦିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ଯଦି ଆପଣ ପରମବୀର ଚକ୍ର ପଦକ ଦେଖିବେ ତେବେ ସେହି ପଦକର ସମ୍ମୁଖରେ ଇନ୍ଦ୍ରଙ୍କ ବଜ୍ର ପରି ଚାରୋଟି ପ୍ରତିକୃତି ଥିବା ଦେଖିବାକୁ ପାଇବେ । ବାସ୍ତବରେ ପରମବୀର ଚକ୍ର ପଦକର ଡିଜାଇନ ସାବିତ୍ରୀ ବାଇ ଖାନୋଲକର କରିଥିଲେ । ପରମବୀର ଚକ୍ର ୩.୫ ସେମି ବ୍ୟାସ ବିଶିଷ୍ଟ ପିତ୍ତଳ ଧାତୁର ବୃତ୍ତାକାର ଆକାରରେ ତିଆରି କରାଯାଇଥିଲା | ଏହାର ଚାରିପାଖରେ ବଜ୍ରର ଚାରୋଟି ଚିହ୍ନ ତିଆରି କରାଯାଇଥିଲା | ପଦକର ମଧ୍ୟ ଭାଗରେ ଅଶୋକ ସ୍ତମ୍ବ ମଧ୍ୟ ଖୋଦିତ ହୋଇଥିଲା । ପରମବୀର ଚକ୍ରର ଅପର ପାର୍ଶ୍ୱରେ ଏକ କମଳର ଚିହ୍ନ ତିଆରି କରାଯାଇଥିଲା, ଯେଉଁଥିରେ ପରମବୀର ଚକ୍ର ହିନ୍ଦୀ ଏବଂ ଇଂରାଜୀରେ ଲେଖାଯାଇଥିଲା।

ସାବିତ୍ରୀ ବାଇ ଖାନୋଲକର ପରମବୀର ଚକ୍ରରେ ଖୋଦିତ କରିଥିବା ବଜ୍ର ଚିହ୍ନ ପାଇଁ ଋଷି ଦଧିଚିଙ୍କଠାରୁ ପ୍ରେରଣା ନେଇଥିଲେ ।  ଯଦି ଆପଣ ବଜ୍ର ବିଷୟରେ ଜାଣି ନାହାଁନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ, ଜାତୀୟ ଯୁଦ୍ଧ ମେମୋରିଆଲ୍ ଅନୁଯାୟୀ, ଦେବତାମାନେ ଦୈତ୍ୟ ବୃତ୍ତାସୁରର ଅନ୍ତ ପାଇଁ ଋଷି ଦଧିଚିଙ୍କ ହାଡ ମାଗିଥିଲେ । ଏହା ପରେ ବୃତ୍ତାସୁରର ଆତଙ୍କରୁ ଜଗତକୁ ରକ୍ଷା କରିବା ପାଇଁ ଋଷୀ ଦଧିଚି ଦେହ ତ୍ୟାଗ କରିବା ପରେ ତାଙ୍କ ଅସ୍ଥିରୁ ପ୍ରଭୁ ବିଶ୍ୱକର୍ମା ଇନ୍ଦ୍ରଙ୍କ ବଜ୍ର ସମେତ ଦେବତାମାନଙ୍କର ଅସ୍ତ୍ର ତିଆରି କରିଥିଲେ । ଯେଉଁଥିରେ ବୃତ୍ତାସୁର ନିଧନ ହୋଇଥିଲା । ଏହିପରି, ଏହି ବଜ୍ରରେ ଋଷି ଦଧିଚିଙ୍କ ବଳିଦାନ ଏବଂ ଉତ୍ସର୍ଗୀକୃତର କାହାଣୀ ମଧ୍ୟ ପ୍ରତିପାଦିତ ହୋଇଥାଏ । ଏଥିରୁ ସେନାକୁ ଶକ୍ତି ମିଳିଥାଏ |

 

Leave A Reply

Your email address will not be published.