Latest Odisha News

ସମସ୍ତ ଚ୍ୟାନେଲ୍ ରଥଯାତ୍ରା ସିଧା ପ୍ରସାରଣ କରିପାରିବେ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ଏସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ସ୍ଫଷ୍ଟଭାବେ ସୂଚନା ଦିଆଯାଇଛି ଯେ, ସବୁବର୍ଷ ପରି ଏହିବର୍ଷ ମଧ୍ୟ ସମସ୍ତ ଟିଭି ଚ୍ୟାନେଲଗୁଡ଼ିକ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିପାରିବେ । ଏନେଇ ପୂର୍ବରୁ ଯେଉଁ ଟେଣ୍ଡର ଡ଼କାଯାଇଥିଲା ତାହା ବଦଳରେ ସମସ୍ତ ଚ୍ୟାନେଲମାନଙ୍କୁ ସିଧା ପ୍ରସାରଣ କରିବାକୁ ଅନୁମତି ମିଳିଛି ।

ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମହାରାଜା ଶ୍ରୀଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ବୈଠକରେ ସର୍ବ ସମ୍ମତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

“ଏହି ବୈଠକରେ ସର୍ବ ସମ୍ମତି ଭାବେ ନିଷ୍ପତ୍ତି ଗ୍ରହଣ କରାଗଲା ଯେ, ଟିଭି ଚ୍ୟାନେଲମାନେ ସିଧା ପ୍ରସାରଣ କରିପାରିବେ ଏବଂ ସେମାନଙ୍କ ଲାଭାଂଶରୁ କିଛି ଅଂଶ ଅର୍ଥ ଶ୍ରୀମନ୍ଦିର ପାଣ୍ଠିକୁ ପ୍ରଦାନ କରିବେ । କିଛିଦିନ ଭିତରେ ସମସ୍ତ ଚ୍ୟାନେଲ ଗୁଡ଼ିକର ମାଲିକ ମାନଙ୍କ ସହିତ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ,” ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ବାତ୍ୟାରେ ଶ୍ରୀମନ୍ଦିରର କ୍ଷତି ସମ୍ପର୍କରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବାତ୍ୟାରେ ନୀଳଚକ୍ର କ୍ଷତିଗ୍ରସ୍ତ ହୋଇନାହିଁ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏଏସଆଇ)ର ଏକ ଡ୍ରୋନ କ୍ୟାମେରାର ଫଟୋ ଉତ୍ତୋଳନରୁ ଜଣାପଡ଼ିଛି ଯେ, ନୀଳଚକ୍ରର କୌଣସି କ୍ଷତି ପହଞ୍ଚିନାହିଁ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ବୁଧବାର ଦିନ ମନ୍ଦିର ପରିଚାଳନା କମିଟି ସହିତ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହେବ । ରଥଯାତ୍ରା ପରେ ଏଏସଆଇ ଟିମ୍ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ କରିବା ନେଇ ଏହି ବୈଠକରେ ବିଶଦ ଆଲୋଚନା ହେବ ।

ସେ ସୂଚନାଦେଇ ଆହୁରି ମଧ୍ୟ କହିଛନ୍ତି, ବାତ୍ୟା ସମୟରେ ଜୟ ବିଜୟ ମୂତ୍ତି କ୍ଷତିଗ୍ରସ୍ତ ହୋଇଥିଲା, ତାହାର ନୂତନ ପଥର ମୂତ୍ତି ଆସନ୍ତା ୧୬ ତାରିଖରେ ଯଥାସ୍ଥାନରେ ସ୍ଥାପନ କରାଯିବ ।

Leave A Reply

Your email address will not be published.