Latest Odisha News

ଆୟକର ଟିକସ ମାମଲାରେ କଂଗ୍ରେସକୁ ଗୁଡ ନ୍ୟୁଜ୍, ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିଆଯିବନି କୌଣସି ଆକ୍ସନ

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସକୁ ନେଇ ସମସ୍ୟାରେ ଥିବା କଂଗ୍ରେସକୁ ମିଳିଛି ଗୁଡ ନ୍ୟୁଜ । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ମାମଲାରେ ନିଆଯିବନି କୌଣସି ଆକ୍ସନ। ଏହି ପ୍ରସଙ୍ଗରେ କେନ୍ଦ୍ର ଆଜି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ଲୋକସଭା ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ଆୟକର ବିଭାଗ କଂଗ୍ରେସ ଦଳ ବିରୋଧରେ କୌଣସି ଆକ୍ସନ ନେବ ନାହିଁ । ଜଷ୍ଟିସ୍ ବି.ଭି ନାଗରାଥନା ଏବଂ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମାସିହଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ବେଞ୍ଚ ଆୟକର ବିଭାଗର ପ୍ରକ୍ରିୟା ବିରୋଧରେ କଂଗ୍ରେସ ଦେଇଥିବା ଆବେଦନ ଉପରେ ଶୁଣାଣି କରୁଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪ରେ କରାଯିବ ।

ମାମଲାର ଶୁଣାଣି ସମୟରେ ତୁଷାର ମେହେଟ୍ଟା କହିଛନ୍ତି, “ଆମେ ୧୭୦୦ କୋଟି ଟଙ୍କାର ନୋଟିସ ପଠାଇଛୁ । କିନ୍ତୁ ଆଗକୁ ଆସୁଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ଆୟକର ବିଭାଗ କୋର୍ଟକୁ ନିଶ୍ଚିତ କରିଛି ଯେ, ନିର୍ବାଚନ ସମୟ ଚାଲିଥିବା କାରଣରୁ ଏବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

କଂଗ୍ରେସର ଆବେଦନ ଉପରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ବିଭାଗ ମାମଲାର ଯୋଗ୍ୟତାକୁ ନେଇ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ । କିନ୍ତୁ ସମସ୍ତ ଅଧିକାର ଏବଂ ବିବାଦର ତଦନ୍ତ ହେବା ଗୁରୁତ୍ଵପୂର୍ଣ୍ଣ । ଏହି ମାମଲାରେ କଂଗ୍ରେସ ତରଫର ବରିଷ୍ଠ ଓକିଲ ଅଭିଷେକ ସିଂଘଭି ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାକୁ ‘ଦୟାଳୁ’ ପଦକ୍ଷେପ ବୋଲି କହିଛନ୍ତି। ମାର୍ଚ୍ଚରେ ଏବଂ ଏହା ପୂର୍ବରୁ ବିଭିନ୍ନ ବର୍ଷ ପାଇଁ ପ୍ରାୟ ୩୫୦୦ କୋଟି ଟଙ୍କାର ସମସ୍ତ ଡିମାଣ୍ଡ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୯ ତାରିଖରେ ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ନୋଟିସ ପଠାଇଥିଲା । ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଥିଲା । ଏଥିରେ ଜୋରିମାନା ସହ ସୁଧ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ ଟିକସ ସଂଗ୍ରହ ପାଇଁ ବିଜ୍ଞପ୍ତି ପଠାଇବାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ କଂଗ୍ରେସ ଏକ ଆବେଦନ କରିଥିଲା ।

Comments are closed.