Latest Odisha News

BREAKING NEWS

ଆଜି ରାତି ସବୁ ଓଡ଼ିଆଙ୍କ ଘରେ ବନ୍ଦ ରହିଛି ରୋଷେଇ, ଏହା କ’ଣ ଜରୁରୀ ?

ଭୁବନେଶ୍ୱର: ଆଂଶିକ ଚନ୍ଦ୍ରଗ୍ରହଣ ଆଜି ରାତିରେ ଓଡ଼ିଶା ସମେତ ଭାରତର ଅଧିକାଂଶ ସ୍ଥାନରେ ରାତି ୧୨ଟା ୧୩ ମିନିଟରୁ ବୁଧବାର ସକାଳ ୫ଟା ୨୪ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ତେଣୁ, ପରମ୍ପରାଗତ ଭାବେ ମଙ୍ଗଳବାର ରାତିରେ ସାଧାରଣତଃ ସମସ୍ତ ଓଡ଼ିଆଙ୍କ ଘରେ ରନ୍ଧାକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଚନ୍ଦ୍ରଗ୍ରହଣ ଯୋଗୁଁ ରୋଷେଇ କରିବା ଦ୍ୱାରା ଅଶୁଭ ଅଟେ ବୋଲି ଏକ ପ୍ରଥା ଭାବେ ପ୍ରଚଳିତ ହେଉଛି । ଆଜି ଦିନ ୪ଟା ୩୧ ମିନିଟଠାରୁ କୌଣସି ଓଡ଼ିଆଣି ଘରେ ରୋଷେଇ କରୁନାହାନ୍ତି । ସେମାନେ ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଯାଇ ରନ୍ଧାକାର୍ଯ୍ୟ କରିବେ ।

ସ୍ୱତଃପ୍ରବୃତ ଭାବେ ମନକୁ ଗୋଟିଏ କଥା ଆସେ ଯେ, ସତରେ କ’ଣ ଚନ୍ଦ୍ରଗ୍ରହଣ ସମୟରେ ରନ୍ଧନ କାର୍ଯ୍ୟ କରିବା ଅନୁଚିତ ! ଚନ୍ଦ୍ରଗ୍ରହଣକୁ ନେଇ କ’ଣ ରହିଛି ପୌରାଣିକ ଯୁଗରୁ ପ୍ରଚଳିତ ପ୍ରଥା ଏବଂ ଏହା କେତେଦୂର ସମିଚୀନ?

ପୁରାଣ: ଚନ୍ଦ୍ରଗ୍ରହଣ ସମୟରେ ରାନ୍ଧିବା ବା ଖାଇବା ଅଶୁଭ ଅଟେ । ଏହି ସମୟରେ ପାକସେବନ କରିବା ଦ୍ୱାରା ବଦହଜମି ହୋଇଥାଏ ।

ବିଜ୍ଞାନ ସମ୍ମତରେ: “ଏହା ଏକ ଅନ୍ଧବିଶ୍ୱାସ । ଚନ୍ଦ୍ରଗ୍ରହଣ ସମୟରେ ରାନ୍ଧିବା ବା ଖାଇବା ନିଷେଧ ଲାଗି ବିଜ୍ଞାନ କହୁନାହିଁ ।” ଏହା କହିଛନ୍ତି ଅବସରପ୍ରାପ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ଫିଜିକ୍ସ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ । “ପୂର୍ବରୁ ଲୋକମାନେ ଭାବୁଥିଲେ ରାହୁଗ୍ରାସ ଅର୍ଥାତ ଗୋଟିଏ ରାକ୍ଷସ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରକୁ ଗ୍ରାସ କରୁଛି । ସେଥିଲାଗି ଲୋକମାନେ ଏହି ସମୟରେ ଖାଇବା ଅଶୁଭ ବୋଲି ଭାବୁଥିଲେ । ତେବେ ବିଜ୍ଞାନମତରେ ଚନ୍ଦ୍ରଗ୍ରହଣ ସମୟରେ ଖାଇବା କିଛି କ୍ଷତିକାରକ ନୁହେଁ ।” ବୋଲି ସେ କହିଛନ୍ତି ।

ପୁରାଣ: ଚନ୍ଦ୍ରଗ୍ରହଣ ସମୟରେ ରାହୁ ଚନ୍ଦ୍ରକୁ ଗ୍ରାସିଥାଏ ।

ବିଜ୍ଞାନ: ଠିକ୍ ପୃଥିବୀ ପଛଦେଇ ଚନ୍ଦ୍ର ପ୍ରଦକ୍ଷିଣ କରିବା ସମୟରେ ଚନ୍ଦ୍ରଗ୍ରହଣ ହୋଇଥାଏ, ଏହା ତାହାର ଛାୟା ମାତ୍ର । ମାତ୍ର ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଥିଲେ ଏହା ଦୃଶ୍ୟମାନ ହୋଇଥାଏ ।

ପୁରାଣ: ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ଖାଲି ଆଖିରେ ଦେଖିଲେ ଅନ୍ଧ ହୋଇଯିବାର ସମ୍ଭାବନା ରହିଛି ।

ବିଜ୍ଞାନ: “ଚନ୍ଦ୍ରର କିରଣ ଆଖି ଲାଗି କେବେବି କ୍ଷତିକାରକ ନୁହେଁ । ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ କି ଖାଲି ଆଖିରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖନ୍ତୁ । ଏହା ଖୁବ୍ ସୁନ୍ଦର ।” ଏହା କହିଛନ୍ତି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ଼ଃ ଶୁଭେନ୍ଦୁ ପଟ୍ଟନାୟକ ।

ପୁରାଣ: ଚନ୍ଦ୍ରଗ୍ରହଣ ଅଶୁଦ୍ଧ ବା ଅପବିତ୍ର ଅଟେ । ତେଣୁ, ଚନ୍ଦ୍ରଗ୍ରହଣ ପରେ ପରେ ଗଙ୍ଗାଜଳ ପକାଇ ସ୍ନାନ କରିବା ଅତ୍ୟନ୍ତ ଜରୁରୀ । ଏହାଫଳରେ ମୋକ୍ଷପ୍ରାପ୍ତ ହୋଇଥାଏ ।

ବିିଜ୍ଞାନ: “ପୂର୍ବରୁ ଚନ୍ଦ୍ରଗ୍ରହଣ ପ୍ରକୃତରେ କିପରି ହୋଇଥାଏ ତାହା ଲୋକମାନେ ଜାଣିନଥିଲେ, ତେଣୁ ସେମାନେ ଏହାକୁ ଭୟ କରୁଥିଲେ । ତେଣୁ ଏହା ଶିକ୍ଷତ ସମାଜରେ ବ୍ୟାପି ଯାଇଛି । ଏପରି କୌଣସି ବିଜ୍ଞାନ ଭିତ୍ତିକ କାରଣ ନାହିଁ ଯେ, ଚନ୍ଦ୍ରଗ୍ରହଣ ସମୟରେ ଗର୍ଭାବସ୍ଥା ବିପଦପୂର୍ଣ୍ଣ ବୋଲି ।” ଏହା କହିଛନ୍ତି ଶ୍ରୀ ପଟ୍ଟନାୟକ ।

ତେଣୁ ଆପଣମାନେ ଦୃଶ୍ୟମାନ ହେଉଥିବା ଚନ୍ଦ୍ରଗ୍ରହଣକୁ ଆରାମରେ ଦେଖିପାରିବେ । ଏଥିରେ ଡ଼ରିବାର କୌଣସି କାରଣ ନାହିଁ ।

ଓଡ଼ିଶାରେ କେଉଁ ସମୟରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ: ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ରାତି ୧୨ଟା ୧୩ ମିନିଟରୁ ବୁଧବାର ସକାଳ ୫ଟା ୨୪ ମିନିଟ ପର୍ଯ୍ୟନ୍ତ ଦେଖାଯାଇପାରିବ ।

ମାତ୍ର ଖାଲି ଆଖିରେ ଏହା ଆଜି ରାତି ୧ଟା ୩୧ ମିନିଟରୁ ଭୋର୍ ୪ଟା ୨୯ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇପାରିବ । ଏହି ଚନ୍ଦ୍ରଗ୍ରହଣର ୬୫ ପ୍ରତିଶତ ରାତି ୩ଟାରେ ଦୃଶ୍ୟମାନ ହେବ ।

Leave A Reply

Your email address will not be published.